ସାଲେପୁର: ଚାରି ଦିନ ତଳେ ଉଦ୍ଧାର ହୋଇଥିଲେ ୨ ନାବାଳିକା । ହେଲେ ପୁଣି ଫେରାର ହୋଇଗଲେ । ତାହାବି ପୁଣି ଶିଶୁ ସୁରକ୍ଷା ବିଭାଗର ହେପାଜତରୁ । ୟା' ଭିତରେ ଦୁଇ ନାବାଳିକା ଫେରାର ହେବାରେ ବି ବିତିଗଲାଣି ଚାରି ଦିନ। ହେଲେ ସେମାନଙ୍କ ଟେର ପାଉନି ପୋଲିସ। ଏମିତିରେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ତତ୍ପରତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ଘଟଣାଟି ଘଟିଛି କଟକ ଜିଲ୍ଲା ସତ୍ୟଭାମାପୁରରେ । ୪ ଦିନ ତଳେ ସାଲେପୁର ଥାନା ଓ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ଏକ ଶିକ୍ଷାଶ୍ରମରେ ଛାଡ଼ିଥିଲା। ହେଲେ ଏବେ ସେମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ଦୁଇ ନାବାଳିକାଙ୍କ ମଧ୍ୟରେ ଜଣେ ନାବାଳିକା ନିଜ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିଲା , ଆଉ ଏନେଇ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଖୋଜି ଧରିବା ସହ ଶିକ୍ଷାଶ୍ରମରେ ଛାଡ଼ିଥିଲା। ସେହିଭଳି ଅନ୍ୟ ଜଣେ ନାବାଳିକା ମଧ୍ୟ ଘରୁ ପଳାଇଆସିଥିବାବେଳେ ଉଦ୍ଧାର କରି ପୋଲିସ ଶିକ୍ଷାଶ୍ରମରେ ଛାଡ଼ିଥିଲା।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର କଳ୍ପନା ମହାନ୍ତିଙ୍କ ନାବାଳିକା ଝିଅ ଗତ ଚାରି ଦିନ ତଳେ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିବା ସହ ଝିଅ ଘରୁ ପଳାଇଯିବାରେ ସାଗର ମଲ୍ଲିକ ନାମକ ଜଣେ ଯୁବକର ହାତ ଥିବା ଅଭିଯୋଗ କରିଥିଲେ। ତେବେ ପୋଲିସ ଅଭିଯୋଗ ଆଧାରରେ ନାବାଳିକାକୁ ଖୋଜି ଧରିଥିଲା। ହେଲେ ନାବାଳିକା ଜଣକ ନିଜ ମାଆଙ୍କ ବିରୋଧରେ ବୟାନ ଦେବାରୁ ପୋଲିସ ଘଟଣାର ସମାଧାନ ହେବା ଯାଏ ଶିକ୍ଷାଶ୍ରମରେ ଛାଡ଼ିଥିଲା। ହେଲେ ଏବେ ନାବାଳିକା ଜଣକ ସେଠାରୁ କେଉଁଆଡେ ଚାଲିଯିବାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଝିଅକୁ ଖୋଜି ଦେବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଏବଂ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେହିଭଳି ସାଲେପୁର ଥାନା ଅଞ୍ଚଳର ନାବାଳିକା ମଧ୍ୟ ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ଘରୁ ପଳାଇ ଆସିଥିଲେ । ହେଲେ ବାଟରେ ଏକ ଟ୍ରକରେ ପଳାଉଯାଉଥିବାବେଳେ ଟ୍ରକ ଡ୍ରାଇଭରଙ୍କ କୁଦୃଷ୍ଟିରୁ ବଞ୍ଚିବା ପାଇଁ ଟ୍ରକରୁ ଡେଇଁ ପଡ଼ିଥିଲେ। ଆଉ ଜଣେ ଦୋକାନୀଙ୍କ ପାଖରେ ଲୁଚିଥିଲେ । ପରେ ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଶିକ୍ଷାଶ୍ରମରେ ଛାଡ଼ିଥିଲା।
ଏଭଳି ଭାବରେ ଉଭୟଙ୍କୁ ଉଦ୍ଧାର କରି ପୋଲିସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରି ସତ୍ୟଭାମାପୁର ବାଳିକା ଶିକ୍ଷାଶ୍ରମରେ ରଖିଥିଲେ। ଉଭୟ ନାବାଳିକା ଶିକ୍ଷାଶ୍ରମରେ ହିଁ ପରସ୍ପରକୁ ଭେଟିଥିଲେ। ହେଲେ ଚାରି ଦିନ ତଳେ ଉଭୟ କେଉଁଆଡେ ଫେରାର ହୋଇଯାଇଛନ୍ତି। ଏନେଇ ଶିକ୍ଷାଶର୍ମା ପକ୍ଷରୁ ନିକଟସ୍ଥ ପାଗା ଫାଣ୍ଡିରେ ଏତଲା ମଧ୍ୟ ଦିଆଯାଇଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଉଭୟ ନାବାଳିକାଙ୍କୁ ଖୋଜାଖୋଜି କରୁଛି ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି । ସେପଟେ ଘଟଣାକୁ ଚାରି ଦିନ ବିତିଥିଲେବି ଦୁଇ ନାବାଳିକାଙ୍କ ଟେର ପାଉନି ପୋଲିସ କିମ୍ବା ଶିଶୁ ସୁରକ୍ଷା ବିଭାଗ। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।