ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଲୁଟ୍: ୨ ଲୁଟେରା ଗିରଫ

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର୨୧/୮: ରାଜଧାନୀ ଉପକଣ୍ଠ ଭରତପୁରରେ ବନ୍ଧୁକ ଦେଖାଇ କାର୍‌ ଲୁଟିବା ଘଟଣାର ପର୍ଦ୍ଦାଫାସ ହୋଇଛି। ବକେୟା ଟଙ୍କା ପାଇଁ ନୁହେଁ, ବରଂ ସୁନ୍ଦରୀ ଯୁବତୀ ପାଇବା ଆଶାରେ ଫସି ଲୁଟ୍‌ର ଶିକାର ହୋଇଥିଲେ ଠିକାଦାର। ଲୁଟ୍‌ରେ ସାମିଲ୍‌ ୨ ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ୟୁନିଟ-୮ରେ ରହୁଥିବା ଗଞ୍ଜାମ ଜିଲ୍ଲା ଆସିକାର ଅମର ସେନାପତି ଓରଫ୍‌ ବୁନୁ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ମନୋଜ ଗୌଡ଼ । ପୁଲିସ୍‌ ସେମାନଙ୍କଠାରୁ ଲୁଟ୍‌ କାର୍‌ ଜବତ କରିଛି । ତେବେ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଓ ଅନ୍ୟ ୨ ଜଣ ଫେରାର୍‌ ଅଛନ୍ତି।

ପୁଲିସ ସୂଚନା ମୁତାବକ ଗତ ୧୩ ତାରିଖରେ ତାଳଚେର ଅଞ୍ଚଳର ଠିକାଦାର ରତି ଅଳଙ୍କାର ସିଂହ ଥାନାରେ ଅଭିଯୋଗ କରିଥିଲେ ଯେ, ୧୨ ତାରିଖରେ ସେ ଭୁବନେଶ୍ୱର ଆସିଥିଲେ । ସେ ଦିନ ସନ୍ଧ୍ୟାରେ ଶ୍ରୀ ସିଂହ ବୁନୁ ନାମକ ବନ୍ଧୁଙ୍କୁ ଦେଖା ହେବାକୁ ଭରତପୁର ଯାଇଥିଲେ। କିଛି ସହଯୋଗୀଙ୍କ ସହ ବୁନୁ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ନିର୍ଧୁମ ମାଡ ମାରି ତାଙ୍କ କାର ନେଇ ଯାଇଥିଲେ । ବକେୟା ଟଙ୍କା ପାଇବା ପାଇଁ ବୁନୁ ଏଭଳି କରିଥିବା ରତି ପୁଲିସକୁ କହିଥିଲେ ।

ପୁଲିସ ବୁନୁଙ୍କ ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା । ସେଠାରେ ପୁଲିସ ସାମ୍ନାରେ ବୁନୁ ସବୁ ସତ ଉଗାଳିଥିଲେ । କାର୍‌ ଲୁଟ୍‌ କରିବାକୁ ସେମାନେ ସୁନ୍ଦରୀ ଯୁବତୀମାନଙ୍କୁ ମୋହରା କରୁଥିଲେ। ଗ୍ରାହକମାନଙ୍କୁ ଯୁବତୀଙ୍କ ଫଟୋ ଦେଖାଇ ଆକର୍ଷିତ କରୁଥିଲେ । ପରେ ଗ୍ରାହକଙ୍କୁ ନିଛାଟିଆ ଜାଗାକୁ ନେଇ ନିର୍ଧୁମ ପିଟି ଲୁଟ କରୁଥିଲେ । ଘଟଣାଦିନ ଯୁବତୀ ଯୋଗାଇ ଦେବା ବାହାନାରେ ରତି ଓ ତାଙ୍କ ଡ୍ରାଇଭରଙ୍କୁ ଭରତପୁରରୁ ଚନ୍ଦ୍ରଶେଖରପୁର ଅନନ୍ତ ବସ୍ତିକୁ ନେଇଥିଲେ । ସେଠାରେ ତାଙ୍କୁ ନିର୍ଧୁମ ପଟି କାର୍‌ ନେଇ ଯାଇଥିଲେ । ବୁନୁଙ୍କ ତଥ୍ୟ ଅନୁସାରେ ପୁଲିସ୍‌ର ଏକ ଟିମ୍‌ କେନ୍ଦ୍ରାପଡା ମାର୍ଶାଘାର ପଳାଶପୁର ଗାଁରୁ ଲୁଟ୍‌ କାର୍‌କୁ ଜବତ କରିଥିଲା । ସେଠାରୁ ମନୋଜଙ୍କୁ ଗିରଫ କରିଥିଲା ।

ଗ୍ୟାଙ୍ଗ ଲିଡରକଲର ପିଣ୍ଟୁ

ଦୁର୍ଦ୍ଦାନ୍ତ କଲର ପିଣ୍ଟୁ ହେଉଛି ଏହି ଲୁଟେରା ଗ୍ୟାଙ୍ଗର ଲିଡର । ସେ ଗିରଫ ବୁନୁର ସାନ ଭାଇ । ଏମାନଙ୍କ ପୈତୃକ ଘର ଗଞ୍ଜାମ ହୋଇଥିବା ବେଳେ ଉଭୟେ ୟୁନିଟ୍‌-୮ ଅଞ୍ଚଳରେ ରହୁଛନ୍ତି । ବାପା ଜଣେ ସରକାରୀ ଚାକିରିଆ । କିନ୍ତୁ କଲର ପିଣ୍ଟୁ ଲୁଟ୍‌ପାଟ୍‌, ଛିନ୍‌ତାଇ ଓ ଡକାୟତିରେ କୁଖ୍ୟାତ । ପିଣ୍ଟୁ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାଳମାଳ ଲୁଟ୍‌ପାଟ୍‌ ମାମଲା ରହିିଛି । ଜୁନ୍‌ ମାସରେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲା । ପରେ ଜାମିନ୍‌ରେ ଫେରି ଏମିତି ଲୁଟ୍‌ କରିଛି । ଫେରାର୍‌ କଲର ପିଣ୍ଟୁକୁ ଧରିବା ପାଇଁ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.