ପୁରୀକୁ ଅସ୍ଥି ବିସର୍ଜନ ପାଇଁ ଆସୁଥିବାବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 25, 2018 IST

ପୁରୀ ୨୫/୯ : ପୁରୀ ନିରକାରପୁର ଜଗନ୍ନାଥ ସଡ଼କ ଭାଇଲିପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅସ୍ଥି ବିସର୍ଜନ ପାଇଁ ପୁରୀ ଆସୁଥିବା ବେଳେ ରାସ୍ତା ତଳକୁ ଖସି ପଡ଼ିଲା ଟାଟା ମ୍ୟାଜିକ୍। ଦୁର୍ଘଟଣାରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତେବେ ୫ ମୃତକଙ୍କ ପରିବାରକୁ ସହାୟତା ରାଶି ମିଳିବ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକ ମାନେ ହେଉଛନ୍ତି ଗଂଜାମ ଜିଲ୍ଲା ପାତ୍ରପୁର ଲାଲକମାଙ୍ଗ ଅଞ୍ଚଳର କେ. କ୍ରିଷ୍ଣା, ଜଗଦିଶ୍, କ୍ଷମାବତୀ, ଅବନାନ୍, ୟାମାବତୀ। ନିଜ ଗ୍ରାମରେ ଗତକାଲି ଶ୍ରାଦ୍ଧ ସାରି ଆଜି ଭୋର ପ୍ରାୟ ୫ ଟା ବେଳେ କେ. କ୍ରିଷ୍ଣା ତାଙ୍କ ବାପାଙ୍କ ଅସ୍ଥି ବିସର୍ଜନ ସହ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପରିବାର ଏବଂ ବନ୍ଧୁବାନ୍ଧବଙ୍କୁ ଧରି ଦୁଇଟି ଟାଟା ମ୍ୟଜିକ୍ ଗାଡ଼ିରେ ପୁରୀ ଆସୁଥିଲେ। ତେବେ ଭାଇଲିପୁର ଛକ ଠାରେ ଟାଟା ମ୍ୟାଜିକ୍ ଡ଼୍ରାଇଭରର ଆଖି ପଡ଼ିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଥିବା ବେଳେ ଶୁକଳ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆନ୍ଦୋଳନରେ ବସି ଥିବାରୁ ଦୁଇଜଣ ଅଧିକାରୀ ଧନଞ୍ଜୟ ମଲ୍ଲିକ ଏବଂ ତପନ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିଟି ପାଣି ଭିତରେ ଓଲଟି ପଡ଼ି ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ ମୃତକଙ୍କୁ ଉଦ୍ଧାର କରିବା ସହ ଗୁରୁତର ଥିବା ଦୁଇଜଣଙ୍କୁ ଆମ୍ୱୁଲାନ୍ସ ସାହାଯ୍ୟରେ ପ୍ରଥମେ ଚନ୍ଦନୁପର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଗାଡ଼ି ଡ଼୍ରାଇଭରର ଆଖି ପଡ଼ିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଘଯଣାସ୍ଥଳରୁ ଡ଼୍ରାଇଭର ଫେରାର ଥିବା ଚନ୍ଦନପୁର ଥାନା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.