ଦୁଇ ଆଦିବାସୀ ଯୁବକଙ୍କୁ ଉଠାଇନେଲେ, ଉଦ୍ଧାର ପାଇଁ ଏସପିଙ୍କୁ ଗୁହାରୀ

Published By : Prameya-News7 Bureau | December 07, 2022 IST

ଭଦ୍ରକ ୦୭/୧୨: ଜୋର ଜବରଦସ୍ତ ଭାବେ ଗାଁରେ ପଶି ଦୁଇ ଆଦିବାସୀ ଯୁବକଙ୍କୁ ଅପହରଣ ଅଭିଯୋଗ । ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଏସପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ଓ ଅପହରଣ ହୋଇଥିବା ଯୁବକଙ୍କ ପରିବାର । ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡ଼ା ପଞ୍ଚାୟତର ଆଦିବାସୀ ସାହି ଓ ନିମପଲ୍ଲୀ ଗ୍ରାମର ୨ ଅପହୃତ ଯୁବକଙ୍କ ପରିବାର ଲୋକେ ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।

ଗତ ୧ ତାରିଖ ରାତି ପ୍ରାୟ ୧୦ଟା ବେଳେ ବନ୍ତ ଓ ପଧାନପଡ଼ା ଅଞ୍ଚଳରୁ ୪୦ରୁ ଉର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ଠେଙ୍ଗାବାଡ଼ି ଓ ବିଭିନ୍ନ ମାରଣାସ୍ତ୍ର ଧରି ଉକ୍ତ ଗ୍ରାମରେ ପଶିଥିଲେ । ଗ୍ରାମର ବଟ ମୁଣ୍ଡାଙ୍କ ପୁଅ ଗୋପାଳ ଓ ଗୋଲକ ଜେନାଙ୍କ ପୁଅ ସୁରେନ୍ଦ୍ରଙ୍କୁ ସେମାନେ ମାଡ଼ ମାରିବା ସହ ଅପହରଣ କରି ନେଇଯାଇଥିବା ଉଭୟଙ୍କ ପରିବାର ପକ୍ଷରୁ ବନ୍ତ ଥାନାରେ ଅଭିଯୋଗ କରାଯାଇଥିଲା । ବନ୍ତ ପୋଲିସ ମାମଲା ରୁଜୁ କରିଥିଲେ ହେଁ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବାବେଳେ ଅପହୃତ ଦୁଇ ଯୁବକଙ୍କ ସନ୍ଧାନ ପାଇପାରି ନାହିଁ ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ପୋଲିସ ଆମ ନାଁରେ ମିଛ କେସ୍ କରି ହଇରାଣ କରୁଛି ବୋଲି ସେମାନେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଧାମନଗର ଏସ୍‌ଡିପିଓ ଏବଂ ବନ୍ତ ଥାନାଧିକାରୀଙ୍କୁ ବଦଳି କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବଟ ମୁଣ୍ଡା କମଳାକାନ୍ତ ଜେନା ସମେତ ଗ୍ରାମବାସୀ ଏସ୍‌ପି ଦାବି ଜଣାଇଛନ୍ତି । ବନ୍ତ ଥାନାଧିକାର ଓ ଧାମନଗର ଏସ୍‌ଡିପିଓଙ୍କୁ ଡକା ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଚରଣ ସିଂ ମୀନା ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.