ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ୨ ଇଂରାଜୀ ଅଧ୍ୟାପକ : ଜଣେ ଦେଉଥିଲେ ଇସାରା, ଅନ୍ୟ ଜଣେ ଫୋନ୍ କରି ଡାକୁଥିଲେ ପାଖକୁ...

Published By : Prameya-News7 Bureau | February 14, 2021 IST

ଭଦ୍ରକ,୧୪/୦୨: ଛାତ୍ରୀ ଜଣେ । ପ୍ରେମ ନିବେଦନ କଲେ ୨ ଅଧ୍ୟାପକ । କିନ୍ତୁ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଦେଲେ ଛାଚ୍ରୀ ।  ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏମ୍‌ଜେଏମ୍‌ସି ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଜନୈକା ଛାତ୍ରୀଙ୍କୁ ସଂପୃକ୍ତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ୨ ଜଣ ଅଧ୍ୟାପକ ପ୍ରେମ ନିବେଦନ କରିବା ଭଳି ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ କଲେଜ ଅଧ୍ୟକ୍ଷ ତାଙ୍କର ପତ୍ର ନଂ ୫୦୯, ତା ୧୨.୦୨.୨୧ ରିଖ ମୂଳେ ମହାବିଦ୍ୟାଳୟର ଯୌନ ନିର୍ଯାତନା ସେଲର ୪ ଜଣ ଅଧ୍ୟାପିକାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୧୮ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ପ୍ରଥମ ମିଡ୍‌ ସେମିଷ୍ଟାର ପରୀକ୍ଷା ଦାୟିତ୍ୱରେ ଇଂରାଜୀ ବିଭାଗର ସଂପୃକ୍ତ ଅଧ୍ୟାପକ ରହିଥିଲେ । ଏତିକିଳେ ତାଙ୍କୁ ପରୀକ୍ଷା କୋଠରୀରେ ସେ ବିଭିନ୍ନ ପ୍ରକାର ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ। ଏଥିସହିତ ତାଙ୍କ ହାତ ଓ ପିଠିକୁ ମନ୍ଦ ଉଦ୍ଦେଶ୍ୟ ରଖି ବାରମ୍ବାର ସ୍ପର୍ଶ କରିଥିଲେ । ସେହିଦିନ ଠାରୁ ସଂପୃକ୍ତ ଅଧ୍ୟାପକ ଛାତ୍ରୀଙ୍କୁ ମୋବାଇଲ୍‌କୁ ବିଭିନ୍ନ ମେସେଜ୍‌ ପଠାଇ ଚାଲିଥିଲେ । ପ୍ରଥମେ ଛାତ୍ରୀ ଜଣକ ଭୟଭୀତ ହୋଇ ତାଙ୍କ ମେସେଜ୍‌ର ଉତ୍ତର ଦେଇଥିଲେ । ମାତ୍ର କିଛି ମାସ ପରେ ସେ ସାହସ ସଞ୍ଚୟ କରି ଅଧ୍ୟାପକଙ୍କ ନମ୍ବରକୁ ବ୍ଲକ୍‌ କରି ଦେଇଥିଲେ । ଏହାପରେ ମଧ୍ୟ ଅଧ୍ୟାପକ ଜଣକ ନିଜ ବିଭାଗର ବିଭିନ୍ନ ଛାତ୍ରଙ୍କ ଦ୍ୱାରା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ସହିତ ପ୍ରେମ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପରିକି କଲେଜ ନିକଟରେ ଥିବା ଛାତ୍ରୀଙ୍କ ଘରପାଖକୁ ଯାଇ ଇସାରା ମାଧ୍ୟମରେ ବିଭିନ୍ନ କଥା କହୁଥିଲେ ।

କେବଳ ଏହି ଅଧ୍ୟାପକ ନୁହଁନ୍ତି, ସେହି ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଥିବା ଜଣେ ଅଧ୍ୟାପକ ମଧ୍ୟ ତାଙ୍କୁ ଫୋନ୍‌ କରି ବିଭାଗକୁ ଡକାଇଥିଲେ । ସେ କାରଣ ପଚାରିଲେ କିଛି ନକହି ତାଙ୍କ ପାଖକୁ ଆସିଲେ କହିବେ ବୋଲି ସୂଚାଇଥିଲେ । ଛାତ୍ରୀ ଜଣକ ପଢୁଥିବା ବିଭାଗ ସହିତ ସଂପୃକ୍ତ ଦୁଇ ଅଧ୍ୟାପକଙ୍କ କୌଣସି ସଂପର୍କ ନଥିବା ସ୍ଥଳେ ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ସେମାନେ ତାଙ୍କୁ ବହୁ ମାନସିକ ନିର୍ଯାତନା ଦେଇଥିବାର ଦର୍ଶାଇ ଲୋକଲଜ୍ଜା ଭୟରେ ଏହିକଥାକୁ ସେ ବହୁଦିନ ଧରି ନିଜ ମଧ୍ୟରେ ଚାପି ରଖିଥିବାରୁ ସେମାନେ ଉତ୍ସାହିତ ହୋଇ ଅଧିକ କ୍ରିୟାଶୀଳ ହୋଇ ଉଠିଥିବା ଛାତ୍ରୀ ଜଣକ ଦର୍ଶାଇଛନ୍ତି ।

କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ମହିଳା କମିସନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ଆଇନ୍‌ର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ସେ ଦର୍ଶାଇଛନ୍ତି । ଏହି ଘଟଣାରେ ପ୍ରମାଣସ୍ୱରୂପ ସଂପୃକ୍ତ ଅଧ୍ୟାପକଙ୍କ ଟେଲିଫୋନ୍‌ କଥାବାର୍ତ୍ତାର ଅଡିଓ ରେକର୍ଡ ଓ ମେସେଜ୍‌ ଚାଟ୍‌ର ଫଟୋ କପି ନିଜର ଅଭିଯୋଗ ପତ୍ର ସହ ସେ ଦାଖଲ କରିଛନ୍ତି ।ଏହି ଘଟଣା କଲେଜରେ ଆଲୋଡନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.