ପ୍ରାଣ ହରାଇଲେ ଆଉ ଜଣେ ଚାଷୀ; ଶୁକ୍ରବାର 'ବ୍ଲାକ୍ ଡେ’ ପାଳୁଛି ସଂଯୁକ୍ତ କିଷାନ ମୋର୍ଚ୍ଚା

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ,୨୩/୨: ଚାଷୀ ଆନ୍ଦୋଳନରେ ହିଂସା । ପୁଣି ଜଣେ ଚାଷୀଙ୍କ ମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ୨ଜଣ ଚାଷୀ ପ୍ରାଣ ହରାଇଲେଣି । ଗୁରୁବାର ପଞ୍ଜାବର ଅମ୍ବାଲା ସୀମାରେ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ହରିୟାଣା ପୋଲିସ । ହିଂସାରେ ଲିପ୍ତ ଥିବା ଚାଷୀଙ୍କ ବିରୋଧରେ ନ୍ୟାସନାଲ୍ ସିକ୍ୟୁରିଟି ଆକ୍ଟ ୧୯୮୦ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ପଞ୍ଜାବ-ହରିଆଣାର ଖନୌରି ସୀମାରେ ବୁଧବାର ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନକୁ ରୋକି ଦେଇଛନ୍ତି । ଦୁଇଦିନର ବ୍ରେକ୍‌ ପରେ ଏହା ପୁଣି ଆଗେଇବ । ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ନେଇ ବଡ଼ ଘୋଷଣା କରିଛି । ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଏସ୍‌କେଏମ୍‌ ଶୁକ୍ରବାର କଳା ଦିବସ ବା ‘ଆକ୍ରୋଶ ଦିବସ’ ପାଳନ କରିବ । ଖନୌରି ସୀମାରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣାରେ ଏଫ୍‌ଆଇଆର୍‌ ଦାବିରେ କଳା ଦିବସ ପାଳିତ ହେବ ।

wp:embed {"url":"https://www.prameyanews7.com/manohar-joshi-ex-maharashtra-chief-minister-and-shiv-sena-stalwart-dies-at-86/","type":"wp-embed","providerNameSlug":"prameya-news-7"}
https://www.prameyanews7.com/manohar-joshi-ex-maharashtra-chief-minister-and-shiv-sena-stalwart-dies-at-86/
/wp:embed

ଏହାପରେ ଫେବ୍ରୁଆରୀ ୨୬ରେ ଏସ୍‌କେଏମ୍‌ରେ ସାମିଲ ଥିବା ଚାଷୀ ସଂଗଠନଗୁଡ଼ିକ ରାଜପଥରେ ବିଶାଳ ଟ୍ରାକ୍ଟର ରାଲି କରିବେ । ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ଦାବିରେ ଏହା ଅନୁଷ୍ଠିତ ହେବ । ଟିକାୟତ କହିଛନ୍ତି, ରାଜପଥରେ ଟ୍ରାକ୍ଟର ରାଲି ବେଳେ ଯାତାୟାତ ପାଇଁ କୌଣସି ଅସୁବିଧା ହେବନାହିଁ । କାରଣ ରାସ୍ତାର ଗୋଟିଏ ପଟକୁ ଲୋକଙ୍କ ପାଇଁ ଖୋଲି ଦିଆଯିବ ଏବଂ ଅନ୍ୟ ପଟେ ଟ୍ରାକ୍ଟର ରାଲି ଚାଲିବ । ଶୁକ୍ରବାର ଠାରୁ ଆମେ ସର୍ବଭାରତୀୟ ମେଗା କାର୍ଯ୍ୟକ୍ରମ ଆୟୋଜନ କରିବୁ ।

ଏହାବ୍ୟତୀତ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ମାର୍ଚ୍ଚ ୧୪ରେ ଚାଷୀଙ୍କର ମହାପଞ୍ଚାୟତ ହେବ । ଏଥିରେ ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବା ଆଶା କରାଯାଉଛି । ଅଲ୍‌ ଇଣ୍ଡିଆ କିଷାନ ମଜଦୁର ମହାପଞ୍ଚାୟତ ଅନୁଷ୍ଠିତ ହେବ । ଏ ବାବଦରେ ଟିକାୟତ କହିଛନ୍ତି, ଚାଷୀ ଆନ୍ଦୋଳନ ଏକ ଦୀର୍ଘମିଆଦୀ ଲଢ଼େଇ । ଗୋଟିଏ ‘ମୋର୍ଚ୍ଚା’ ଯଥେଷ୍ଟ ହେବନାହିଁ । ଦିଲ୍ଲୀକୁ ଚାରି ଦିଗରୁ ଘେରିବାକୁ ହେବ । ପୂର୍ବରୁ କୃଷି ଆଇନ ବିରୋଧରେ ଆମେ ଯେଉଁ ରଣନୀତି ସହ ଦିଲ୍ଲୀକୁ ଚାରିପଟୁ ଘେରିଥିଲୁ, ତାହା ପୁଣି ଦୋହରିବାକୁ ଯାଉଛି । ଏଭଳି ସ୍ଥିତିରେ ସମସ୍ତ ଚାଷୀ ଏକାଠି ରହିବା ଅତ୍ୟନ୍ତ ଜରୁରି ।

ଉଲ୍ଲେଖଯୋଗ୍ୟ, ସବୁ ଫସଲରେ ନିଶ୍ଚିତ ଏମ୍‌ଏସ୍‌ପି ପାଇଁ ଆଇନ ଆଣିବା ଏବଂ କୃଷି ଋଣ ଛାଡ଼ ଭଳି ଅନେକ ଦାବି ନେଇ ପଞ୍ଜାବ ଚାଷୀମାନେ ଏବେ ବି ଶମ୍ଭୁ ଓ ଖନୌରି ସୀମାରେ ଅଡ଼ିବସିଛନ୍ତି । କିନ୍ତୁ ଦିଲ୍ଲୀ ଚଲୋ ଅଭିଯାନରେ ଏବେ ବିରାମ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.