ଫିଫା ବିଶ୍ୱକପ୍‌ରେ ନୂଆ ରେକର୍ଡ, ଭିନ୍ନ ଭିନ୍ନ ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି ଦୁଇ ଭାଇ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ ୨୮/୧୧: କତାର ଫିଫା ବିଶ୍ୱକପ୍‌ରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥର ଦୁଇ ଭାଇ ଭିନ୍ନ ଭିନ୍ନ ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ଇନାକି ୱିଲିୟମ୍ସ ଏବଂ ନିକୋ ୱିଲିୟମ୍ସ । ଇନାକି ଘାନାରୁ ପ୍ରତିନିଧିତ୍ୱ କରୁଥିବାବେଳେ ନିକୋ ସ୍ପେନ୍‌ ପକ୍ଷରୁ ଖେଳୁଛନ୍ତି । ୱିଲିୟମ୍ସ ଭ୍ରାତା ଇତିମଧ୍ୟରେ ବିଶ୍ୱକପ୍‌ ପଦାର୍ପଣ କରି ସାରିଛନ୍ତି । ଯଦି ସ୍ପେନ୍‌ ଓ ଘାନା ନକ୍‌ ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୁଅନ୍ତି, ତାହେଲେ ୱିଲିୟମ୍ସ ଭ୍ରାତା ପରସ୍ପରକୁ ସାମ୍ନା କରିବା ସମ୍ଭାବନା ରହିଛି ।

ବିଶ୍ୱକପ୍‌ରେ ଦୁଇ ଭାଇ ଭିନ୍ନ ଦଳରୁ ପ୍ରତିନିଧିତ୍ୱ କରିବା ଘଟଣା ନୂଆ ନୁହେଁ । ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରେ ବୋଆତେଙ୍ଗ୍‌ ଭ୍ରାତା (ଜେରୋମି ଓ କେଭିନ୍‌-ପ୍ରିନ୍ସ) ଭିନ୍ନ ଭିନ୍ନ ଦଳରୁ ଖେଳିଥିଲେ । ଜେରୋମି ଜର୍ମାନୀ ଏବଂ କେଭିନ୍‌ ଘାନା ଦଳର ପ୍ରତିନିଧିତ୍ୱ କରିଥିଲେ । ଉଭୟଙ୍କ ଜନ୍ମ ଜର୍ମାନୀରେ । କିନ୍ତୁ ସେମାନେ ଘାନା ବଂଶୋଦ୍ଭବ । ବାପା ପ୍ରିନ୍ସ ବୋଆତେଙ୍ଗ୍‌ ଜର୍ମାନୀରେ ପଢ଼ୁଥିବାବେଳେ ସେଠାରେ ଜର୍ମାନୀର ଖ୍ରୀଷ୍ଟିଆନ୍‌ ରାନ୍‌ଙ୍କୁ ବିବାହ କରିଥିଲେ ।

ୱିଲିୟମ୍ସ ଭ୍ରାତାଙ୍କ ଜନ୍ମ ସ୍ପେନ୍‌ରେ । ଇନାକି ବିଲବାଓରେ ଜନ୍ମଗ୍ରହଣ କରିଥିବାବେଳେ ନିକୋ ନଭାରେ ସ୍ଥିତ ପାମ୍ପଲୋନା ଠାରେ ଜନ୍ମ ନେଇଥିଲେ । କିନ୍ତୁ ଉଭୟ ଘାନା ବଂଶୋଦ୍ଭବ । ସୁଖମୟ ଜୀବନ ଏବଂ ଅଧିକ ରୋଜଗାର ଆଶାରେ ବାପା ଫେଲିକ୍ସ ଓ ମାରିଆ ଘାନା ଛାଡ଼ି ପ୍ରଥମେ ମରକ୍କୋରେ ପହଞ୍ଚିଥିଲେ । ସେଠାରୁ ସେମାନେ ସ୍ପେନର ମେଲିଲା ଅଞ୍ଚଳକୁ ଚାଲିଯାଇଥିଲେ । ପରେ ସ୍ପେନରେ ବିଲବାଓ ଅଞ୍ଚଳରେ ଅବସ୍ଥାନ କରିଥିଲେ । ଏହାପରେ ଇନାକିଙ୍କ ଜନ୍ମ ହୋଇଥିଲା । ପରେ ପରେ ନିକୋଙ୍କ ଜନ୍ମ ହୋଇଥିଲା । ବାପା ଫେଲିକ୍ସ ଅଧିକ ରୋଜଗାର ପାଇଁ ଲଣ୍ଡନ ଚାଲି ଯାଇଥିଲେ । ଫଳରେ ଇନାକି ସାନ ଭାଇ ନିକୋଙ୍କର ଦେଖାରେଖା କରିଥିଲେ । ଦୁଇ ଭାଇ ଆଥଲେଟିକ୍‌ ବିଲ୍‌ବାଓ ପକ୍ଷରୁ କ୍ଲବ୍‌ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ । ଉଭୟ ଏବେବି କ୍ଲବ୍‌ର ସଦସ୍ୟ ରହିଛନ୍ତି । ଇନାକି ୨୮୬ଟି ମ୍ୟାଚ୍‌ ଖେଳି ୫୮ଟି ଗୋଲ୍‌ ସ୍କୋର କରିଥିବାବେଳେ ନିକୋ ୫୦ମ୍ୟାଚ୍‌ ଖେଳି ୩ଟି ଗୋଲ୍‌ କରିଛନ୍ତି ।
ଇନାକି ଜଣେ ଦକ୍ଷ ଫରୱାର୍ଡ଼ ଖେଳାଳି । ଗତ ସିଜନରେ ସ୍ପାନିଶ୍‌ ଲିଗ୍‌ ଲା’ଲିଗାରେ ରେକର୍ଡ଼ ୨୦୩ଟି ମ୍ୟାଚ୍‌ ପୂରଣ କରିଥିଲେ । କିନ୍ତୁ ତାଙ୍କୁ ଜାତୀୟ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିନଥିଲା । ସେ ୨୦୧୬ରେ ସ୍ପେନ୍‌ ପକ୍ଷରୁ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ । ଜାତୀୟ ଦଳରୁ ସୁଯୋଗ ନ ମିଳିବାରୁ ଇନାକି ଶେଷରେ ଘାନା ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ବିଶ୍ୱକପ୍‌ ପାଇଁ ଘାନା ଆଫ୍ରିକୀୟ ଦେଶର ଖେଳାଳିଙ୍କୁ ଦଳରେ ସାମିଲ୍‌ କରିବାକୁ ପ୍ରସ୍ତାବ ଦେଇଥିଲା । ଫଳରେ ଇନାକି ଘାନା ପ୍ରସ୍ତାବରେ ରାଜି ହୋଇ ବିଶ୍ୱକପ୍‌ ଖେଳିବାକୁ ମନସ୍ଥ କରିଥିଲେ । ସେ ଘାନା ବଂଶୋଦ୍ଭବ ହୋଇଥିବାରୁ ଏଥିରେ କୌଣସି ଅସୁବିଧା ହୋଇ ନଥିଲା । ଗତ ସେପ୍ଟେମ୍ବର ମାସ ସେ ପ୍ରଥମ ଥର ଘାନା ଦଳରେ ସ୍ଥାନ ପାଇ ବ୍ରାଜିଲ୍‌ ଏବଂ ନିକାରଗୁଆ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ । ଏହାପରେ ତାଙ୍କୁ ଘାନ ବିଶ୍ୱକପ୍‌ ଦଳରେ ସାମିଲ୍‌ କରାଯାଇଥିଲା । ଚଳିତ ବିଶ୍ୱକପ୍‌ରେ ସେ ଘାନା ପକ୍ଷରୁ ପର୍ତ୍ତୁଗାଲ୍‌ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ ।

ଅନ୍ୟ ପଟରେ ନିକୋ ସ୍ପେନ୍‌ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିଲେ । କୋଚ୍‌ ଲୁଇସ୍‌ ଏନରିକ୍‌ ବିଳମ୍ବରେ ତାଙ୍କୁ ଦଳରେ ସାମିଲ୍‌ କରିଥିଲେ । ସେ ଜଣେ ୱିଙ୍ଗର । ୨୦୨୦ରେ ସେ ୧୮ବର୍ଷରୁ କମ୍‌ ସ୍ପେନ୍‌ ଦଳ ଏବଂ ୨୦୨୧ରେ ୨୧ ବର୍ଷରୁ କମ୍‌ ସ୍ପେନ୍‌ ଦଳ ପକ୍ଷରୁ ମୋଟ ୯ଟି ମ୍ୟାଚ୍‌ ଖେଳିଥିଲେ । ୨୦୨୨-୨୩ ୟୁଇଏଫ୍‌ ନେସନ୍ସ ଲିଗ୍‌ ପାଇଁ ନିକୋ ପ୍ରଥମ ଥର ସିନିୟର ଦଳରେ ସ୍ଥାନ ପାଇଥିଲେ । ଗତ ନଭେମ୍ବର ୧୭ ତାରିଖ ଜାତୀୟ ଦଳ ପକ୍ଷରୁ ଜୋର୍ଡାନ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ରେ ସେ କ୍ୟାରିୟରର ପ୍ରଥମ ଗୋଲ୍‌ କରିଥିଲେ । ଫିଫା ବିଶ୍ୱକପ୍‌ରେ ସ୍ପେନର କୋଷ୍ଟାରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ନିକୋ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ । ଏହି ମ୍ୟାଚ୍‌ରେ ସ୍ପେନ୍‌ ୭-୦ ଗୋଲ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.