ନନ୍ଦନକାନନରୁ ମିଜୋରାମ ଗଲା ୨ ମହାବଳ ବାଘ, ବଦଳରେ ଆସିବ ହିମାଳୟ କଳାଭାଲୁ ଓ ବଣ ମଣିଷ
27/03/2023 at 10:26 PM

ଭୁବନେଶ୍ଵର: ଆଉ ଦିଶିବେନି ଦୁଇ ମହାବଳ ବାଘ। ନନ୍ଦନକାନନ ଜୁ ଏବଂ ଆଇଜଲ୍ ଜୁ ମଧ୍ୟରେ ହେଲା ଜୀବଜନ୍ତୁ ଅଦଳବଦଳ। ମହାବଳ ବାଘ କୁନ୍ଦନ ଓ ଅଦ୍ୟସାକୁ ମିଜୋରାମ ନିଆଯାଇଥିବା ବେଳେ ତା ବଦଳରେ ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ଆସିବେ ମାଙ୍କଡ଼, ଭାଲୁ ଏବଂ ବଣମଣିଷ।
ସୁଦୂର ମିଜୋରାମ ସ୍ଥିତ ଆଇଜଲ୍ ଜୁଲୋଜିକଲ ପାର୍କରୁ ଆସିଥିଲେ ଭେଟେନାରି ଅଫିସର୍ ଏବଂ ରେଞ୍ଜ ଅଫିସର୍ ସମେତ ଟିମ୍। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ମହାବଳ ବାଘ କୁନ୍ଦନ୍ ଓ ଅଦ୍ୟାସାକୁ ନିଜ ସହ ମିଜୋରାମ ନେଇଛନ୍ତି। ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଥିବା ଉଭୟ କୁନ୍ଦନ୍ ଓ ଅଦ୍ୟାସାର ବୟସ ୭ ବର୍ଷ।

ସରକାରଙ୍କ ଗାଇଡଲାଇନ ଏବଂ ଜୁ ମାନୁଆଲ ଓ ପ୍ରୋଟୋକଲ ଅନୁସରଣ କରାଯିବା ସହ ଦୁଇ ବାଘଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଛଡାଯାଇ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଆଜି ଦୁଇଟି ମହାବଳ ବାଘ ନନ୍ଦନକାନନରୁ ଦିଆ ଯାଉଥିବା ବେଳେ ମେ ମାସରୁ ଜୁନ୍ ମାସ ମଧ୍ୟରେ ମକାଓ ପ୍ରଜାତିର ମାଙ୍କଡ଼, ହିମାଳୟ କଳା ଭାଲୁ ଏବଂ ବଣ ମଣିଷ ଆଇଜଲ୍ ଚିଡ଼ିଆଖାନାରୁ ଅଣାଯିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ।

ସେପଟେ ଦୁଇ ମହାବଳ ବାଘ କୁନ୍ଦନ୍ ଓ ଅଦ୍ୟାସାକୁ ସାଥିରେ ନେଉଥିବା ଆଇଜଲ୍ ଜୁ କର୍ତ୍ତୃପକ୍ଷଙ୍କ ଖୁସି କହିଲେ ନ ସରେ। ଓଡ଼ିଶା ବହୁତ୍ ସୁନ୍ଦର ଜାଗା। ବିଶେଷ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପରିବେଶ ବହୁତ୍ ସୁନ୍ଦର ଓ ବାଘ ମାନଙ୍କ ପାଇଁ ଅନୁକୂଳ ଥିବା କହିଛନ୍ତି ଆଇଜଲ୍ ଜୁ ରେଞ୍ଜ ଅଫିସର। ସେମିତି ବାହାର ରାଜ୍ୟରୁ ଭାଲୁ, ମାଙ୍କଡ ଏବଂ ବଣ ମଣିଷ ଆସୁଥିଲେ ମଧ୍ୟ ନନ୍ଦନକାନନରୁ କୁନ୍ଦନ୍ ଓ ଅଦ୍ୟାସା ବାହାର ରାଜ୍ୟକୁ ଚାଲି ଯାଇଥିବାରୁ ମନ ଊଣା କରିଛନ୍ତି ପର୍ଯ୍ୟଟକ।
ଯେତେ ନୂଆ ଜୀବଜନ୍ତୁ ଆସନ୍ତୁ ପଛେ ବେଙ୍ଗଲ ଟାଇଗରଙ୍କ ସ୍ଥାନ ସ୍ଵତନ୍ତ୍ର ଓ ସାରା ଦେଶରେ ମଧ୍ୟ ଏକମାତ୍ର ଟାଇଗର ବ୍ରିଡ଼ିଂ ସେଣ୍ଟର୍ ଭାବେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିଶ୍ୱରେ ପରିଚିତ। ତେଣୁ ଅନ୍ୟ ଜୀବଜନ୍ତୁଙ୍କ ସହ ବାଘ ସଂଖ୍ୟା ବୃଦ୍ଧି ହେଲେ ଦେଶ ତଥା ଦେଶ ବାହାରୁ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଅସିବେ ବୋଲି ବୁଦ୍ଧିଜିବୀଙ୍କ ମହଲରେ ଚର୍ଚ୍ଚା।