ଅଷ୍ଟ୍ରେଲିଆକୁ ବଡ଼ ଝଟକା, ପ୍ରଥମ ଦିନିକିଆ ଖେଳିବେ ନାହିଁ ୨ ଷ୍ଟାର ଖେଳାଳି
21/09/2023 at 10:11 PM

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଦୁଇଟି ବଡ଼ ଝଟକା ଲାଗିଛି। ଦଳର ଦୁଇ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ପ୍ରଥମ ଦିନିକିଆ ଖେଳିବେ ନାହିଁ। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅଧିନାୟକ ପାଟ୍ କମିନ୍ସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆହତ କାରଣରୁ ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତରେ ନ ଥିଲେ। ଏଥିରେ ଅଧିନାୟକ ପାଟ୍ କମିନ୍ସ, ବ୍ୟାଟର ଷ୍ଟିଭ୍ ସ୍ମିଥ, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଏବଂ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ସାମିଲ୍। ଏଥିରୁ ଦୁଇ ଜଣ ଖେଳାଳି ଆସନ୍ତାକାଲି ପ୍ରଥମ ଦିନିକିଆ ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ଦୁଇ ଜଣ ଖେଳାଳି ପ୍ରଥମ ଦିନିକିଆ ପାଇଁ ଚୂଡ଼ାନ୍ତ ଏକାଦଶରେ ଉପଲବ୍ଧ ରହିବେ ନାହିଁ। ଆସନ୍ତାକାଲି ମୋହାଲିରେ ପ୍ରଥମ ଦିନିକିଆ ଖେଳାଯିବ।
Also read- ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ କାହାର ପଲ୍ଲା ଭାରୀ ?
ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଏ ପର୍ଯ୍ୟନ୍ତ ଆଘାତଜନିତ ସମସ୍ୟାରୁ ମୁକୁଳି ପାରି ନଥିବାରୁ ପ୍ରଥମ ଦିନିକିଆ ଖେଳିବେ ନାହିଁ। ପାଟ୍ କମିନ୍ସ ସଂପୂର୍ଣ୍ଣ ଫିଟ୍ ହୋଇ ପ୍ରଥମ ଦିନିକିଆରେ ଦଳର ନେତୃତ୍ଵ ନେଉଛନ୍ତି। ତାରକା ବ୍ୟାଟର ଷ୍ଟିଭ୍ ସ୍ମିଥ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜରିଆରେ ବିଶ୍ଵକପ୍ ୨୦୨୩ର ପ୍ରସ୍ତୁତି ଆରମ୍ଭ କରିବେ।
ଭାରତ-ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳସୂଚୀ
ପ୍ରଥମ ଦିନିକିଆ- ସେପ୍ଟେମ୍ବର ୨୨, ମୋହାଲି
ଦ୍ଵିତୀୟ ଦିନିକିଆ- ସେପ୍ଟେମ୍ବର ୨୪, ଇନ୍ଦୋର
ତୃତୀୟ ଦିନିକିଆ- ସେପ୍ଟେମ୍ବର ୨୭, ରାଜକୋଟ୍
ଘୋଷିତ ଅଷ୍ଟ୍ରେଲିଆ ଦଳ
ପାଟ୍ କମିନ୍ସ(ଅଧିନାୟକ), ସିନ୍ ଏବଟ, ଆଲେକ୍ସ କେରୀ, ନାଥନ ଏଲିସ, କ୍ୟାମେରୁ ଗ୍ରୀନ, ଜୋଶ ହେଜେଲଉଡ, ଜୋସ ଇଂଗ୍ଲିଶ, ସ୍ପେନସର ଜନସନ, ମାର୍ନସ ଲାବୁସେନ, ମିଚେଲ୍ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ତନବୀର ସାଙ୍ଘା, ମାଥ୍ୟୁ ସର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ଡେଭିଡ୍ ଓ୍ଵାର୍ଣ୍ଣର, ଆଡମ ଜାମ୍ପା।