ଫେବ୍ରୁଆରୀରେ ଆସିବ ୧୨ ଚିତା: ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
27/01/2023 at 8:09 PM

ଭୋପାଳ: ଦକ୍ଷିଣ ଆଫ୍ରିକାରୁ ପୁଣି ଭାରତ ଅଣାଯିବା ୧୨ ଚୀତାବାଘ। ଏନେଇ ଭାରତ ଓ ଦକ୍ଷିଣ ଆଫ୍ରିକା ସରକାର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆସନ୍ତା ମାସରେ ୧୨ ଚିତାବାଘକୁ ମଧ୍ୟପ୍ରଦେଶକୁ ଅଣାଯିବ ବୋଲି ସୂଚନା ମିଳିଛି। ଗତବର୍ଷ ସେପ୍ଟମ୍ବର ମାସରେ ନାମିବିୟାରୁ ୮ଟି ଚିତାବାଘ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଏହି ବାଘ ଛଡ଼ାଯାଇଥିଲା। ଏହାର ୩ ମାସ ପରେ ପୁଣି ଚୀତାବାଘ ଆଣିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ସେ ଲେଖିଛନ୍ତି “ ଏହା ପ୍ରୋଜେକ୍ଟ ଚୀତାକୁ ପ୍ରୋତ୍ସାହନ ଦେବ। ପ୍ରକୃତି ପ୍ରେମୀଙ୍କ ପାଇଁ ଗର୍ବର ବିଷୟ। ଦେଶରେ ବିଲୁପ୍ତ ହୋଇଯାଇଥିବା ଚୀତାବାଘକୁ ପୁଣିଥରେ ଫେରାଇ ଆଣିବା ମୋଦୀ ସରକାରେ ଗୁରୁତ୍ୱ ଦିଆଯାଇଛି। ଦକ୍ଷିଣ ଆଫ୍ରିକାର ଚୀତକୁ ସ୍ୱାଗତ କରିବାକୁ ଭାରତ ଅପେକ୍ଷା କରିଛି। ”
ଚୁକ୍ତି ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ମାସ ୧୨ଟି ଚୀତାକୁ ଆକାଶମାର୍ଗରେ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯିବ। ଏମାନଙ୍କୁ ନାମିବିୟା ଚୀତା ସହ ମଧ୍ୟପ୍ରଦେଶର କୁନୋରେ ଛଡ଼ାଯିବ। ତେବେ ଆସନ୍ତା ୮-୧୦ ବର୍ଷ ଯାଏ ପ୍ରତି ବର୍ଷ ୧୨ଟି ଲେଖାଏ ଚୀତା ଅଣାଯିବାର ଯୋଜନା ରହିଛି। ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତା ସଂଖ୍ୟାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପ୍ରଜୋକ୍ଟ ଚିତା ଆରମ୍ଭ କରିଛନ୍ତି। ଏହି ପ୍ରୋଜେକ୍ଟରେ ପ୍ରତି ବର୍ଷ ଭାରତକୁ ୧୨ ଲେଖାଏ ଚିତା ଅଣାଯିବାକୁ ଚୁକ୍ତି ହୋଇଛି।
ପ୍ରୋଜେକ୍ଟ ଚିତା ହେଉଛି ବିଶ୍ୱର ପ୍ରଥମ ଓ ବଡ଼ ଅନ୍ତରମହାଦେଶୀୟ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତରଣ ଯୋଜନା। ପ୍ରକୃତି ସଂରକ୍ଷଣର ଅନ୍ତର୍ଜାତୀୟ ସଂଘ(ICUN)ର ଗାଇଡ୍ଲାଇନ୍ ଅନୁସାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଦିନେ ଭାରତ ଭୂମିରେ ଚିତା ଚଳପ୍ରଚଳ କରୁଥିଲା। ହେଲେ ବିଭିନ୍ନ କାରଣରୁ ଏହି ପ୍ରାଣୀ ୧୯୫୨ରୁ ବିଲୁପ୍ତ ହୋଇଯାଇଛି। ଏବେ ପୁଣିଥରେ ଭାରତ ଭୂଇଁରେ ଚିତା ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାର ଏହି ଯୋଜନା କରିଛନ୍ତି।