ଝାଡ଼ଖଣ୍ଡ CM ଙ୍କ ନିକଟ ସମ୍ପର୍କୀୟଙ୍କ ଘରୁ ୨ଟି AK-47 ଜବତ, ଅବୈଧ ଖନନରେ ମନିଲଣ୍ଡ୍ରିଂର ଯାଞ୍ଚ ବେଳେ ମିଳିଲା

Published By : Prameya-News7 Bureau | August 24, 2022 IST

ରାଞ୍ଚୀ ୨୪।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ୧୭ଟି ଠିକଣା ଉପରେ ଚଢଉ କରିଛି। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଛି। ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ। ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସେପଟେ ବିହାରରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି। ଚାକିରୀ ବଦଳେ ଜମି ମାମଲାରେ ଚାଲିଥିବା ଏହି ଚଢଉ ପ୍ରାୟ ୨୪ଟି ସ୍ଥାନରେ ହୋଇଛି। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି। ବିହାରରେ ଆରଜେଡି ନେତାଙ୍କ ଠିକଣା ଉପରେ ଏପରି ଏକ ସମୟରେ ସିବିଆଇ ଚଢଉ ଆରମ୍ଭ ହୋଇଛି ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହରେ ଫ୍ଲୋରଟେଷ୍ଟ ଦେବେ।

ତେବେ ଏପର୍ଯ୍ୟନ୍ତ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଜିଦ୍ କରୁଥିବା ବିଜେପି ବାଚସ୍ପତି ବିଜୟ କୁମାର ସିହ୍ନା ବୁଧବାର ଚୁପଚାପ ଇସ୍ତଫା ଦେଇ ପଦରୁ ହଟି ଯାଇଛନ୍ତି। ଏଣୁ ଏଥିରେ ଆରମ୍ଭ ହୋଇଥିବା ସିବିଆଇ ଚଢଉ କୁ ଆରଜେଡି ରାଜ୍ୟରେ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି କହିଛି। ଆରଜେଡି ଏମଏଲସି ସୁନୀଲ ସିଂହ ଏହା ଜାଣିଶୁଣି କରାଯାଉଥିବା କହିଛନ୍ତି। ଯାଞ୍ଚ ଏଜେନ୍ସୀଙ୍କ ଡରରେ ବିଧାୟକ କାଳେ ସେମାନଙ୍କ ପକ୍ଷରେ ଆସିଯିବା ଆଶଙ୍କାରେ ଏଭଳି ଚଢଉ କରାଯାଉଥିବା ସିଂହ କହିଛନ୍ତି। ତେବେ ଏଥିରେ କେହି ଡରିବାର ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.