ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ଓ ସହଯୋଗୀ ମିଶି ପିଟିପିଟି ପଥରରେ ଛେଚି ହତ୍ୟା ମାମଲାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମୃତକଙ୍କ ଭିଣୋଇ ସିଙ୍ଗରାଇ ମୁଣ୍ଡା ଓ ସହଯୋଗୀ କଇରା ଲୁହୁରା ।
ସୂଚନା ଅନୁଯାୟୀ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ବଡ ଭଉଣୀ ଜେମା ମୁଣ୍ଡା ଙ୍କୁ ସିଙ୍ଗରାଇ ମୁଣ୍ଡା ନାମକ ଜଣେ ବ୍ୟକ୍ତି ତିନି ବର୍ଷ ତଳେ ଭଲପାଇ ଦ୍ବିତୀୟ ସ୍ତ୍ରୀ ଭାବରେ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ବର୍ଷକ ତଳେ ଜେମାଙ୍କ ବାପା ର ମୃତ୍ୟୁ ହେବା ପରେ ସେ ନିଜ ଘରକୁ ଶୁଦ୍ଧି କ୍ରିୟା ରେ ଯୋଗଦାନ କରିବାକୁ ଆସିଥିଲେ। ଶୁଦ୍ଧିକ୍ରିୟା ପରେ ଜେମା ଆଉ ସ୍ବାମୀ ସିଙ୍ଗରାଇ ସହ ନ ଯାଇ ଅନ୍ୟ ଜଣେ ଯୁବକ ଙ୍କ ସହ ପୁଅକୁ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ। ପରେ ଜେମା ଦ୍ବିତୀୟ ସ୍ବାମୀ ସହିତ ଆସି ଗାଆଁ ରେ ରହୁଥିଲେ ।
ଗତ ତିନି ତାରିଖ ଦିନ ଜେମା ଓ ତାଙ୍କ ମାଆ ମିଶି ରମେଶଙ୍କୁ ସିଙ୍ଗରାଇ ଙ୍କ ଘରକୁ ପଠାଇଥିଲେ। ସିଙ୍ଗରାଇ ଙ୍କ ଔରସରୁ ଜନ୍ମ ହୋଇଥିବା ଶିଶୁପୁତ୍ର କୁ ସେ ନେଇଯିବା ପାଇଁ ରମେଶ ତାଙ୍କୁ କହିଥିଲେ । ଏହି ଘଟଣା କୁ ନେଇ ରମେଶ ଓ ସିଙ୍ଗରାଇ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସିଙ୍ଗରାଇ ଓ ତାର ସହଯୋଗୀ କଇରା ଲୁହୁରା ମିଶି ରମେଶକୁ ଏକ ଧାନ ଖଳାକୁ ନେଇ ମଦ ପିଆଇବା ପରେ ଇଟାରେ ଛେଚି ଛେଚି ମାରି ଦେଇଥିଲେ । ରମେଶ କୁ ମାରିବା ପରେ ପାହାଡ ଉପରେ ତାର ଶବକୁ ଫିଙ୍ଗି ଦେଇ ଡାଳ ପତ୍ର ଘୋଡାଇ ଚାଲିଆସିଥିଲେ । ଏପଟେ ପୁଅ ରମେଶ ଘରକୁ ନଫେରିବାରୁ ତାଙ୍କ ମାଆ ଏନେଇ ଦେବଗଡ ଆଦର୍ଶ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ବେଳେ ନିଖୋଜ ରମେଶ ଙ୍କୁ ସିଙ୍ଗରାଇ ଓ ସହଯୋଗୀ କଇରା ମିଶି ମାରି ଦେଇଥିବା ଜଣାପଡିଥିଲା ।
ରବିବାର ପାହାଡ ଉପରେ ଜଙ୍ଗଲ ମଧ୍ୟରୁ ରମେଶ ଙ୍କ ଶବ ଠାବ କରାଯାଇଥିଲା । ଶବ ମିଳିବା ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ କରି ଘଟଣାସ୍ଥଳରୁ ରମେଶ ଙ୍କ ମୋବାଇଲ ଫୋନ କୁ ଭଙ୍ଗାରୁଜା ଅବସ୍ଥାରେ ଉଦ୍ଧାର କରିଥିଲେ । ଏହି ଘଟଣାରେ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତ ସିଙ୍ଗରାଇ ଓ କଇରା କୁ ଗିରଫ କରାଯାଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ କୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।