୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୯୪ଜଣ ରାଜନେତା ନକଲି ‘ପାନ୍’କାର୍ଡ ନମ୍ବର ଦାଖଲ କରିଛନ୍ତି ନିର୍ବାଚନ କମିଶନଙ୍କ ନିକଟରେ

Published By : Prameya-News7 Bureau | October 07, 2018 IST

ନୂଆଦିଲ୍ଲୀ ୭|୧୦:  କିଛିଦିନ ତଳେ ହିନ୍ଦୁତ୍ବ ସମ୍ପର୍କିତ ‘ଆଡଭୋଟରିଆଲ’ ପ୍ରସଙ୍ଗରେ ବିଭିନ୍ନ ଗଣମାଧ୍ୟମର ମୁଖା ଖୋଲିଥିବା ଅନୁସନ୍ଧାନଧର୍ମୀ ଓ୍ବେବସାଇଟ୍ ‘କୋବ୍ରା’ ପୋଷ୍ଟ ଏବେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉଦଘାଟନ କରିଛି । ଦେଶର ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୯୪ଜଣ ନେତା ନିର୍ବାଚନ କମିଶନଙ୍କ ନିକଟରେ ନକଲି ‘ପାନକାର୍ଡ’ ନମ୍ବର ଦାଖଲ କରିଛନ୍ତି ବୋଲି ଏହି ଓ୍ବେବସାଇଟି କହିଛି । ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ୨୦୦୦ ସତ୍ୟପାଠକୁ ସମୀକ୍ଷା କରି ଏହି ତଥ୍ୟ ଉଦଘାଟନ କରାଯାଇଥିବା ଓ୍ବେବସାଇଟ ପକ୍ଷରୁ କୁହାଯାଇଛି । ୨୦୦୬ମସିହାରୁ ୨୦୧୬ ମସିହା ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ ୨୩ଟି ରାଜ୍ୟର ରାଜନେତାମାନଙ୍କ ୨୦୦୦ସତ୍ୟପାଠକୁ ସମୀକ୍ଷା ପାଇଁ ନିଆଯାଇଥିଲା । ନକଲି ‘ପାନକାର୍ଡ’ ନମ୍ବର ଦାଖଲ କରିଥିବା ନେତାଙ୍କ ମଧ୍ୟରେ ଅଧିକାଂଶ କଂଗ୍ରେସ ଓ ବିଜେପିର ନେତା ବୋଲି ଜଣାପଡିଛି । ନକଲି ପାନ୍ ନମ୍ବର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୭୨ଜଣ କଂଗ୍ରେସର ହୋଇଥିବାବେଳେ ୪୧ଜଣ  ବିଜେପିର । ସାମଗ୍ରିକ ଭାବେ ୨୯ଟି ଛୋଟବଡ ରାଜନୈତିକ ଦଳର ନେତା ଏହି ୨୯୪ଜଣିଆ ତାଲିକାରେ କହିଛନ୍ତି । କଂଗ୍ରେସ ଏବଂ ବିଜେପି ବ୍ୟତୀତ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଜନତା ଦଳ (ସଂଯୁକ୍ତ), ଏନସିପି ଭଳି ଜାତୀୟ ଦଳର ନେତା ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ ଯେ, ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ୧୦ଜଣ ମନ୍ତ୍ରୀ, ୮ଜଣ ପୂର୍ବତନ ମନ୍ତ୍ରୀ, ୫୪ଜଣ ବର୍ତ୍ତମାନର ବିଧାୟକ ଏବଂ ୧୦୨ଜଣ ପୂର୍ବତନ ବିଧାୟକ ନକଲି ପାନ୍ ନମ୍ବର ଦାଖଲ କରିଥିବା ରାଜନେତାଙ୍କ ତାଲିକାରେ ରହିଛନ୍ତି । ନକଲି ପାନ୍ ନମ୍ବର ଦାଖଲ କରିଥିବା ବିଶିଷ୍ଟ ନେତାଙ୍କ ମଧ୍ୟରେ ରହିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ, ଭୂମିଧର ବର୍ମନ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀ, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ପ୍ରେମକୁମାର ଧୁମାଲ ରହିଛନ୍ତି । ସେହିଭଳି ରାଜସ୍ଥାନର ମନ୍ତ୍ରୀ ବୀଣାବାକ୍, ବିହାରର କ୍ୟାବିନେଟ୍ ମନ୍ତ୍ରୀ ନନ୍ଦ କିଶୋର ଯାଦକ, ମହାରାଷ୍ଟ୍ର ମନ୍ତ୍ରୀ ଦେଶମୁଖ ବିଜୟ କୁମାର, ହରିଆଣାର ମନ୍ତ୍ରୀ କବିତା ଜୈନ, ହିମାଚଳପ୍ରଦେଶର ମନ୍ତ୍ରୀ କିଶନ କପୁରଙ୍କ ନାମ ମଧ୍ୟ ନକଲି ପାନ୍ ନମ୍ବର ଦାଖଲକାରୀଙ୍କ ତାଲିକାରେ ସ୍ଥାନ ଯାଇଛି । ନକଲି ପାନ୍ ନମ୍ବର ଦାଖଲକାରୀ ନେତାଙ୍କ ରାଜ୍ୟକୁ ଯଦି ବିଚାରକୁ ନିଆଯାଏ ତାହେଲେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଛି । ଉତ୍ତରପ୍ରଦେଶର ୨୬ ଜଣ ରାଜନେତା ନକଲି ପାନ୍ ନମ୍ବର ଦାଖଲ କରିଥିବାବେଳେ ମଧ୍ୟପ୍ରଦେଶର ୧୭ଜଣ, ବିହାରର ୧୫ଜଣ, ଉତ୍ତରାଖଣ୍ଡର ୧୪ଜଣ, ଆସାମର ୧୩ଜଣ, ହିମାଚଳ ପ୍ରଦେଶରେ ୧୨ଜଣ ଏବଂ ରାଜସ୍ଥାନର ୧୧ଜଣ ନେତା ଏହି ତାଲିକାରେ ରହିଛନ୍ତି । ନକଲି ପାନ୍ ନମ୍ବର ଦାଖଲ କରିବା ପଛରେ ମୁଖ୍ୟତଃ ଦୁଇଟି ନିର୍ବାଚନ ମଧ୍ୟରେ ସେମାନଙ୍କ ସମ୍ପତ୍ତି ଅସ୍ବଭାବିକଭାବେ ବୃଦ୍ଧି ପାଇବା ହୋଇଥାଇପାର ବୋଲି କୋବ୍ରା ପୋଷ୍ଟ ପକ୍ଷରୁ କୁହାଯାଇଛି । ସେହିଭଳି ଟିକସ ଫାଙ୍କିବା ପାଇଁ ମଧ୍ୟ ନେତାମାନେ ଏଭଳି ରାସ୍ତା ଗ୍ରହଣ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.