ପୁରୀ ୧୬/୭: ବୁଧବାର ବିଶ୍ବନିୟନ୍ତାଙ୍କ ସୁନାବେଶ । ମହଣ ମହଣ ସୁନାରେ ଝଟକିବେ ୩ ଠାକୁର । ସୁନାବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜନଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଭକ୍ତ ମାନେ ମାର୍କେଟ ଛକ ଠାରୁ ଏକପାଖିଆ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ପ୍ରସ୍ଥାନ କରିବେ। କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ା ଯିବ ନାହିଁ। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବେଶି ଭିଡ ଥିଲେ ଚାଲିକି ଆସିବା ପାଇଁ ନିବେଦନ କରାଯାଉଛି। ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରାଯିବ। ଜନଗହଳି ନିୟନ୍ତ୍ରଣ ଉପରେ ଦିଆଯାଇଛି ପ୍ରାଥମିକତା ।
ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନାବେଶ ପାଇଁ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ। ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ। ଯେଉଁ ଭକ୍ତ ମାନେ ପ୍ରବଳ ଭିଡ ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ସୁନାବେଶ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି। ସେହିପରି କୁନି ଛୁଆ ଏବଂ ବୟସ୍କ ବ୍ୟକ୍ତି ବିଶେଷ ମାନେ ଭିଡ ଭିତରେ ନ ଆସିବାକୁ ଅନୁରୋଧ କରିଛନ୍ତି ଏସ୍ପି ପିନାକ ମିଶ୍ର ।