୧୯୯୯ ମହାବାତ୍ୟାକୁ ପୁରିଛି ୧୯ବର୍ଷ ; ମନରୁ ଲିଭୁନି ଏରସମାର କରାଳ ଦୃଶ୍ୟ
29/10/2018 at 3:58 PM

ଜଗତସିଂହପୁର ୨୯|୧୦: ମହାବାତ୍ୟାକୁ ପୁରିଛି ୧୯ ବର୍ଷ । ହେଲେ ମନରୁ ଲିଭୁନି ଏରସମାର କରାଳ ଦୃଶ୍ୟ। ସେକଥା ମନେ ପଡିଲେ ଆଜି ବି ଦେହ ଶିତେଇ ଉଠେ। ମହାବାତ୍ୟା ପରେ ଏହି ଅଞ୍ଚଳରେ ସରକାର ଅନେକ ବିକାଶ କରିଛନ୍ତି। ହେଲେ ଆଜିବି ଅବହେଳିତ ଅବସ୍ଥାରେ ରହିଛି ଅନେକ ଗାଁ। ସେଥି ମଧ୍ୟରୁ ଗୋଟିଏ ଗାଁ ହେଉଛି ଏରସମା ବ୍ଲକ୍ ଗଡ ବିଶିନିପୁର ପଞ୍ଚାୟତର ଜୁଣବେରି । ମହାବାତ୍ୟାରେ ନିଶ୍ଚିହ୍ନ ହୋଇଥିଲା ଏହି ଗାଁର ଘରଦ୍ବାର ଭିଟାମାଟି। ଗାଁର ୩୦୫ଜଣ କିଏ କୁଆଡେ ଭାସିଗଲେ ତାର ହିସାବ ମିଳିଲାନି। ଯେଉଁମାନେ ବଞ୍ଚିଗଲେ ଏବେ ଘୋର ଦୁର୍ଦଶାରେ ଦିନ କାଟୁଛନ୍ତି। ଗାଁକୁ ସ୍ଥାୟୀ ରାସ୍ତାଟିଏ ନିର୍ମାଣ ହୋଇପାରିନି। ପିଇବା ପାଣି ପାଲଟିଛି ସାତ ସପନ ।
ମହାବାତ୍ୟା ପରେ ଏହି ଗାଁରେ ନିର୍ମାଣ କରା ଯାଇଥିଲା ବାତ୍ୟା ଆଶ୍ରୟସ୍ଥଳୀ। ନିମ୍ନ ମାନର କାମ ଓ ରକ୍ଷଣା ବେକ୍ଷଣ ଅଭାବରୁ ପାଲଟିଛି ଜରାଜୀର୍ଣ୍ଣ । ଛାତ ଓ ପିଲରରୁ କଂକ୍ରିଟ୍ ଖଣ୍ଡ ଖଣ୍ଡ ହୋଇ ଖସୁଥିବାରୁ ଆଶ୍ରୟସ୍ଥଳୀ ଏବେ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତି ବର୍ଷ ବାତ୍ୟା ଆଶଙ୍କା ପ୍ରକାଶ ପାଇଲେ ଗ୍ରାମବାସୀ ମାନେ ଗାଁ ଛାଡି ଏଇଠି ମୁଣ୍ଡଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନକୁ ଅବଗତ କରାଯିବାରୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।
କେବଳ ଜୁଣଗରି ଗାଁ ନୁହେଁ , ମହାବାତ୍ୟାରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା ଜିଲ୍ଲାର ଅନେକ ଗାଁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ପ୍ରଶାସନ ଏଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।