ଫେରାର ଝିଅକୁ ଖୋଜିଆଣିଲା ପୋଲିସ, କିନ୍ତୁ ୩ ଦିନ ପରେ ଜଳିଲା ଜୁଇ, କାରଣ…

Published By : Prameya-News7 Bureau | April 29, 2020 IST

ଚଣ୍ଡିଗଡ ୨୯।୪: ପଞ୍ଜାବର ହୋଶିଆରପୁରରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ଯୁବତୀଙ୍କ ବୟସ ୧୯ ବର୍ଷ ବୋଲି ଜଣାପଡିଛି । ତାଙ୍କ ପରିବାରଲୋକ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ନିଜ ଗାଁର ଜଣେ ପୁଅକୁ ଭଲ ପାଉଥିବାରୁ ଘରଲୋକ ଏପରି କରିଥିବା ଶୁଣିବାକୁ ମିଳୁଛି । ଯୁବତୀଙ୍କ ପରିବାରଲୋକ ଏକଥାକୁ ଅସ୍ବୀକାର କରିଛନ୍ତି । ଯୁବତୀ ଜଣଙ୍କ ବେହୋସ ହେବା ପରେ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଢଶଙ୍କର ଅଞ୍ଚଳର ସସୋଲି ଗାଁରେ ଯୁବତୀଙ୍କ ଘର । ସେ ୨୨ ଅପ୍ରେଲରେ ଘରୁ କେଉଁଆଡେ ପଳାଇଯାଇଥିଲେ । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯୁବତୀଙ୍କ ନିଖୋଜ ହେବାର ଗୋଟିଏ ଦିନ ପରେ ପୋଲିସ ଖବର ପାଇଥିଲା । ସସୋଲି ଗାଁର ଜୁହାର ସିଂ ନାମକ ଜଣେ ବ୍ୟକ୍ତି ଆସି ପୋଲିସ ନିକଟରେ ଅଭିଯୋଗ କରିଥିଲା । ପରିବାରଲୋକ ସଂପୃକ୍ତ ଯୁବତୀଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା । ପୋଲିସର ସୂଚନା ଅନୁସାରେ ଯୁବତୀଙ୍କ ପରିବାରଲୋକ ସନ୍ଦେହ କରୁଥିଲେ ଯେ ସେ ସେହି ଗାଁର ଜୁଝାର ସିଂଙ୍କ ପୁଅ ଅମନପ୍ରୀତ ସିଂଙ୍କ ସହ କେଉଁଆଡେ ପଳାଇ ଯାଇଛନ୍ତି ।

ପୋଲିସ ତଦନ୍ତ ବେଳେ ଅମନପ୍ରୀତ କ୍ଷେତରେ କାମ କରୁଥିବା ଜାଣିବାକୁ ପାଇଥିଲା । ଫଳରେ ପୋଲିସ ଯୁବତୀଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ଯୁବତୀ ଜଣଙ୍କ ଗଢଶଙ୍କର ଷ୍ଟେସନରେ ବସିଥିବାର ଦେଖିବାକୁ ମିଳିଥିଲା । ପୋଲିସ ତାଙ୍କୁ ଘରକୁ ପଠାଇଦେଇଥିଲା । ମାତ୍ର ପରିବାରଲୋକଙ୍କ ମନ ଶାନ୍ତ ହୋଇନଥିଲା । ଶନିବାର ରାତିରେ ପରିବାରଲୋକ ଯୁବତୀଙ୍କୁ ବେହୋସ କରି ତାଙ୍କ ଗଳା କାଟି ହତ୍ୟା କରିଥିଲେ । କେବଳ ଏତିକି ନୁହେଁ, ତାଙ୍କ ଶବକୁ ରାତି ପ୍ରାୟ ସାଢେ ୨ଟା ବେଳେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା ।

ତଦନ୍ତ ପରେ ପୋଲିସ ଯୁବତୀଙ୍କ ଚିତାଭସ୍ମ ସଂଗ୍ରହ କରି ପରିବାରଲୋକଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଯୁବତୀଙ୍କ ମା’ ବଲବିନ୍ଦର କୌର, ମାମୁଁ ସତଦେବ, ପୁଅ ସ୍ବରାଜ, ସମ୍ପର୍କୀୟ ଭାଇ ଗୁରୁଦୀପ ସିଂ ଏବଂ ବିରାମପୁର ଗାଁର ଲାଲା ନାମକ ଜଣେ ବ୍ୟକ୍ତି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.