ଜୟପୁର ଡାକ୍ତରଖାନାରୁ ୧୯ ଜଣ କିନ୍ନରଙ୍କ ସମେତ ୪୫ ଜଣ ଅସ୍ଥାୟୀ କର୍ମଚାରୀ ଛଟେଇ : ରୋଗୀସେବା ବାଧାପ୍ରାପ୍ତ ହେବା ଆଶଂକା

Published By : Prameya-News7 Bureau | October 12, 2018 IST

ଜୟପୁର ୧୨|୧୦: ଜୟପୁର ଡାକ୍ତରଖାନାରୁ ଛଟେଇ ହୋଇଛନ୍ତି ୧୯ ଜଣ କିନ୍ନରଙ୍କ ସମେତ ମୋଟ ୪୫ ଜଣ ଅସ୍ଥାୟୀ କର୍ମଚାରୀ । ବର୍ଷ ବର୍ଷ ଧରି ଡାକ୍ତରଖାନାରେ କାମ କରି ଆସୁଥିବା ଏହି କର୍ମଚାରୀମାନେ  ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ମାସିକ ଦରମା ପାଉଥିଲେ ।  ହେଲେ ଏବେ ରୋଗୀ କଲ୍ୟାଣ ସମିତିରେ ଆଉ ଅର୍ଥବଳ ନଥିବାରୁ ଏମାନଙ୍କୁ  ଛଟେଇ କରାଯାଇଛି। ବଦଳରେ ଏମାନଙ୍କୁ ଏକ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦେବାକୁ ଡାକ୍ତରଖାନା ତରଫରୁ ପ୍ରସ୍ତାବ ଦିଆଯାଇଛି । ହେଲେ ଏହାକୁ ନେଇ ଏବେ ଛଟେଇ କର୍ମଚାରୀଙ୍କ ଭିତରେ ଉଠିଛି ବିରୋଧର ସ୍ବର । ସେପଟେ ଛଟେଇକୁ ନେଇ କିନ୍ନରମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି ।…. ନିଯୁକ୍ତି ଦେଇ ସ୍ବାବଲମ୍ବୀ ହେବାର ଆଶା ଦେଖାଇଲେ । ନୂଆ କରି ଜୀବନ ବଂଚିବାର ରାହା ଦେଖାଇଲେ । ହେଲେ ମାତ୍ର କିଛି ମାସ ଯାଇନି, ସବୁ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଦେଲେ । ଆମେ କହୁଛୁ ନିକଟରେ ଜୟପୁର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଏହି ୧୯ଜଣ କିନ୍ନରଙ୍କ କଥା । ରୋଗୀଙ୍କ ସେବା କରିବା ସହ କିଛି ମାସ ତଳେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ସ୍ବପ୍ନ ଏମାନଙ୍କୁ ଆନନ୍ଦିତ କରିଥିଲା । ହେଲେ କିଛି ଦିନ ନପୁରୁଣୁ ସେମାନଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । କାହିଁକି ନା’ ପୂର୍ବରୁ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଏମାନଙ୍କୁ ଦରମା ଦିଆଯାଉଥିବା ବେଳେ ଏବେ ପାଣ୍ଠି ଖାଲି ହୋଇଯାଇଥିବାରୁ ଏମାନଙ୍କୁ କାମରୁ ଛଟେଇ କରାଯାଇଛି । ଖାଲି ଏଇ ୧୯ଜଣ କିନ୍ନର ନୁହନ୍ତି ଏମାନଙ୍କ ସହ ମୋଟ ୪୫ଜଣଙ୍କୁ ଛଟେଇ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ଆଉ କୌଣସି ଆଉଟ୍‌ ସୋର୍ସିଂ ସଂସ୍ଥା ମାଧ୍ୟମରେ ପୁନଃ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ।ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଭଳି ଆକ୍ସନକୁ ନେଇ ଏବେ ଅସନ୍ତୁଷ୍ଟ ଏହି ଛଟେଇ କର୍ମଚାରୀ । ଛଟେଇ ବାତିଲ ସହ ପୁନଃ ନିଯୁକ୍ତି ନେଇ ଛଟେଇ କର୍ମଚାରୀମାନେ ଜୟପୁର ଡାକ୍ତରଖାନା ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନି । ଛଟେଇ କର୍ମଚାରୀମାନେ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ଡାକ୍ତରଖାନାରେ ପୁଣି ଥରେ କାମ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇବାଥିବା ଜୟପୁର ଡାକ୍ତରଖାନା ଆସନ୍ତା ୧୫ରେ ଫୁଲବାଡ ନୂଆ କ୍ୟାମ୍ପସକୁ ସ୍ଥାନାନ୍ତର ହେଉଛି । ହେଲେ ଏହା ପୂର୍ବରୁ ଏଭଳି ସମସ୍ୟାର ସମାଧାନ କରାନଗଲେ ରୋଗୀ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.