ଆଜି ବି ମନେ ପଡ଼ିଲେ ଛାତି ଥରି ଉଠେ, ୧୯୯୦ ଜାନୁୟାରୀ ୧୯ ଥିଲା ସେହି କାଳର ରାତି...

Published By : Prameya-News7 Bureau | March 19, 2022 IST

ମୁମ୍ବାଇ ୧୯/୦୩ : ୧୯ ଜାନୁୟାରୀ ୧୯୯୦। ଇଏ ସେହି କାଳର ରାତି।  ଯାହାକୁ ଇତିହାସ ଭୁଲିଛି ନା ଭୁଲିଛନ୍ତି କଶ୍ମୀର ହିନ୍ଦୁ ପଣ୍ଡିତମାନେ। ନ ଚାହିଁବା ସତ୍ତ୍ୱେ  ଛଡ଼ିଥିଲେ ନିଜ ଭିଟା ମାଟି। ଏମିତି କଣ ହୋଇଥିଲା ଯେଉଁଥିପାଇଁ ଲକ୍ଷ ଲକ୍ଷ କଶ୍ମୀର ପଣ୍ଡିତ ଛାଡ଼ିଥିଲେ କଶ୍ମୀର। ସେହି ଘଟଣାକୁ ତାଜା କରି ଦେଇଛି  ଫିଲ୍ମ ଦ କାଶ୍ମୀର ଫାଇଲ୍‌।  ଯାହାର ଚର୍ଚ୍ଚା ଏବେ ସବୁଠି।

ଖୁବ୍‌ ଆତଙ୍କିତ ଅବସ୍ଥାରେ ଥାଆନ୍ତି କାଶ୍ମୀର ପଣ୍ଡିତ। ଘରୁ ବାହାରିଲେ ପାଦେ ପାଦେ ବିପଦ। ହାତରେ AK47 ଧରି ବୁଲୁଥାନ୍ତି ହିଜବୁଲ ସମର୍ଥକ। ମନରେ  ଘୃଣା ଓ ଆକ୍ରମଣର ତାତି।  ଖୋଲାଖୋଲି ଭାବେ ଉର୍ଦ୍ଦୁ ଖବରକାଗଜରେ ଖବର ଛପେ । ଏଠି ଥିବା ସବୁ ହିନ୍ଦୁ ପଣ୍ଡିତ ଉପତ୍ୟକା ଛାଡି ଚାଲି ଯାଆନ୍ତୁ ନହେଲେ ମୃତ୍ୟୁ। ଗୋଟିଏ ନିର୍ଦ୍ଧିଷ୍ଟ ଅସହିଷ୍ଟୁ ଧର୍ମିୟ ଗୋଷ୍ଠୀ ମସଜିଦରେ ଘୋଷଣା କରନ୍ତି ହିନ୍ଦୁ ପଣ୍ଡିତ କଶ୍ମୀର ଛାଡ।

ତା ପରଦିନ ହଜାର ହଜାର କଶ୍ମୀର ପଣ୍ଡିତ ପରିବାର ସହ ଛାଡିବାକୁ ଲାଗନ୍ତି ଭ୍ୟାଲି । ହେଲେ ଘରୁ କୌଣସି ଜିନିଷ କାଢି ନେବାକୁ ନଥାଏ ଅନୁମତି। ଘର ବିକିବାକୁ ବି ସମୟ ନ ଥାଏ। କିଛି ନେବାକୁ ଅନୁମତି ବି ନ ଥାଏ। ମୁସଲମାନମାନେ ଜବରଦସ୍ତ କବଜା କରନ୍ତି ତାଙ୍କ ସମ୍ପତ୍ତି ଉପରେ। ୪ ମାସ ଭିତରେ ଘଟିଥାଏ ଅନେକ ବିବତ୍ସ କାଣ୍ଡ । ଅନେକ ହିନ୍ଦୁ ମହିଳାଙ୍କୁ ବଳାତ୍କାର କରନ୍ତି ଆତଙ୍କବାଦୀ। ୨୦୦୪ ପର୍ଯ୍ୟନ୍ତ ଚାଲିଥାଏ ଏମିତି ଘଟଣା। ପଣ୍ଡିତମାନେ ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେଇ ମାଟିରେ ପାଲଟିଗଲେ ସରଣାର୍ଥୀ। ହଜିଗଲା ସ୍ବାଧୀନତା। ନିଜ ଘର ଆଉ ନିଜର ହୋଇ ରହିଲାନି। ସେହି ରାତିକୁ କେହି କେହି ଖବର କାଗଜରେ ଲେଖନ୍ତି  Night Of Terror।

ୟା ଭିତରେ ହିନ୍ଦୁ ପଣ୍ଡିତଙ୍କ ହତ୍ୟା ଘଟଣାରେ ରୋକ୍‌ ଲାଗୁ ନ ଥାଏ। ୧୩ ଫ୍ରେବୃୟାରୀ ୧୯୯୦ରେ ଶ୍ରୀନଗର ଦୁରଦର୍ଶନ ନିର୍ଦ୍ଦେଶକ ଲସା କୌଲଙ୍କୁ ହତ୍ୟା କରାଯାଏ। ୧୯୯୧ରୁ ୨୦୦୪ଯାଏଁ ଏମିତି ଅନେକ ହତ୍ୟାକାଣ୍ଡ ଘଟେ ଯେଉଁମାନଙ୍କ ଦୋଷ ସେମାନଙ୍କ ଧର୍ମ। ଅର୍ଥାତ୍‌ ହିନ୍ଦୁ ବୋଲି ହତ୍ୟାର ଶିକାର ହୁଅନ୍ତି। ହିନ୍ଦୁ ଘରର ମହିଳା ପାଲଟି ଯାଆନ୍ତି ଖେଳନା। ବଳାତ୍କାର ସେମାନଙ୍କ ପାଇଁ ସାଧାରଣ ।

ସୂତ୍ର କୁହେ ମୋଟ ୨୧୯ ଜଣ କଶ୍ମୀର ପଣ୍ଡିତ ହୋଇଛନ୍ତି  ହତ୍ୟାର ଶିକାର । ବେସରକାରୀ ସୂତ୍ରରେ ଏହି ସଂଖ୍ୟା ୮୦୦।  କଶ୍ମୀର ଘାଟି ଛାଡିଥିବା ଲକ୍ଷେ ଲକ୍ଷେ ପଣ୍ଡିତ ପରବର୍ତ୍ତି ସମୟରେ ଘରଦ୍ବାର ଛାଡି ଜମ୍ମୁର ଅସ୍ଥାୟୀ ଟେଣ୍ଟରେ ରୁହନ୍ତି। ନିଜ ଦେଶରେ ସେମାନେ ପାଲଟି ଯାଆନ୍ତି ସରଣାର୍ଥୀ ରିଫ୍ୟୁଜି। କଶ୍ମୀର ଭ୍ୟାଲିରେ ରହୁଥିବା ମୋଟ ୭୫,୦୦୦ ପରିବାର ଗୃହହୀନ ହୋଇ ପଡନ୍ତି । ଆଜି ବି ଅନେକ ପଣ୍ଡିତ ନିଜ ଭିଟାମାଟିକୁ ଫେରି ପାରି ନାହାନ୍ତି। ୩୦ ବର୍ଷ ଭିତରେ ବହୁତ କିଛି ବଦଳିଛି। ହେଲେ ଭୁଲି ପାରି ନାହାନ୍ତି ସେହି କାଳର ରାତି।

କାଶ୍ମୀରରେ ହିନ୍ଦୁ ପଣ୍ଡିତଙ୍କ ସ୍ଥିତିକୁ ନେଇ ନିର୍ମାଣ ହୋଇଛି ଫିଲ୍ମ The Kashmir File। ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଫିଲ୍ମ ଦେଶରେ ମାତ୍ର କେତୋଟି ହାତଗଣତି ହଲରେ ରିଲିଜ ହୋଇଛି। ଏବେ ସାରା ଦେଶରେ ଏହି  ଫିଲ୍ମର କ୍ରେଜ।  ଚଳଚ୍ଚିତ୍ରଟି ୧୯୯୦ ମସିହାର ଏକ ନିଚ୍ଛକ ସତ ଘଟଣା। ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.