ବନ୍ଧାହେଲା ଜାଲ୍ ସାର୍ଟିଫିକେଟ୍ କାରବାରର ମାଷ୍ଟର ମାଇଣ୍ଡ, ସହଯୋଗୀଙ୍କ ସମେତ ମୋଟ୍ ୧୯ ଗିରଫ
27/03/2023 at 1:45 PM

ବଲାଙ୍ଗୀର ୨୭।୩: ଜାଲ୍ ସାର୍ଟିଫିକେଟ୍ ଘଟଣାରେ ମାଷ୍ଟର ମାଇଣ୍ଡଙ୍କ ସମେତ ୧୯ ଜଣଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରିଛି । ମନୋଜଙ୍କ ରିଲାଏନ୍ସ ଏଜୁକେଶନାଲ କମ୍ପ୍ଲେକ୍ସରୁ ଜାଲ୍ ସାର୍ଟିଫିକେଟ ତିଆରି କରୁଥିବା ବହୁ ସାମଗ୍ରୀ ଜବତ କରିଛି ପୋଲିସ । ମନୋଜଙ୍କ ଡାଏରୀରୁ ବହୁ ସହଯୋଗୀଙ୍କ ତଥ୍ୟ ସହ ମିଳିଥିବା ହାର୍ଡଡିସ୍କରୁ ଅନେକ ଗୁମର ଖୋଲିବା ନେଇ ସୂଚନା ଦେଇଛନ୍ତି ଏସପି ।

ତେବେ ଜବତ ସାମଗ୍ରୀ ମଧ୍ୟରୁ ୪ କମ୍ପ୍ୟୁଟର, ୨ଟି ଲ୍ୟାପଟପ, ୩ଟି ପ୍ରିଣ୍ଟର, ୧ଟି ସ୍କାନର, ଗୋଟିଏ ଜେରସ୍କ ମେସିନ, ୨୫୦ ଜିବି ଏସ୍କଟରନାଲ ଡ୍ରାଇଭ, ବହୁ ମୋବାଇଲ ଫୋନ୍ ଓ ୩ ଲକ୍ଷ ୬୭ ହଜାର ଟଙ୍କା ଜବତ କରିଛି ପୋଲିସ । ସେହିପରି ଏକ ହଜାରରୁ ଅଧିକ ସାର୍ଟିଫିକେଟ, ବଲାଙ୍ଗୀର ତହସିଲଦାରଙ୍କ ସିଲ୍, ତହସିଲ କୋର୍ଟ ସିଲ୍ ସହ ୨୭ରୁ ଅଧିକ ସ୍କୁଲ କଲେଜର ସିଲ୍ ମଧ୍ୟ ଜବତ ହୋଇଛି । ଏହାସହ ସରକାରୀ ଅଧିକାରୀଙ୍କ ଭେରିଫିକେସନ ଲେଟର ପୋଲିସ ହାତରେ ଲାଗିଛି ।