ମଶା ଚାଷ କରୁଛନ୍ତି ଲୋକେ, ଏଭଳି ଅଦ୍ଭୂତ କାରାନାମାରୁ ୟୁପିରେ ବ୍ୟାପିଛି ମ୍ୟାଲେରିଆ:୧୮୦ ଜଣଙ୍କୁ ନୋଟିସ୍
1/09/2020 at 5:06 PM

ନୂଆଦିଲ୍ଲୀ ୦୧/୦୯ : ଘରେ କୁକୁର, ବିଲେଇ, ଗାଈ ଆଦି ଜୀବଜନ୍ତୁ ପାଳନ କରାଯାଉଥିବା ସମସ୍ତେ ଜାଣନ୍ତି। କ’ଣ ଜାଣନ୍ତି ୟୁପିର ଗୋଟିଏ ଜିଳ୍ଲାରେ ଲୋକମାନେ ଘରେ ମଶା ପାଳୁଛନ୍ତି। ଯଦିଓ ଏହା ଶୁଣିବାକୁ ଅଜବ ଲାଗୁଛି କିନ୍ତୁ କଥାଟି ଏକଦମ୍ ସତ। ମ୍ୟାଲେରିଆ ବିଭାଗ ଘର ଘର ବୁଲି ସର୍ଭେ କରିବାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତ ସମୟରେ ବିଭାଗ ବି ଏ ଘଟଣାକୁ ବିଶ୍ବାସ କରିପାରି ନ ଥିଲା। ଏହା ପରେ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଲୋକଙ୍କ ଉପରେ ନୋଟିସ୍ ଜାରି କରି ଜରିମାନା ଲଗାଇଛି।
ମ୍ୟାଲେରିଆ ଓ ଫେଲସିପେରମ୍ ମ୍ୟାଲେରିଆ ସଂକ୍ରମଣ ପ୍ରସାରଣର ଦ୍ବିତୀୟ ସ୍ଥାନରେ ଥିବା ବନ୍ଦାୟୁରେ ୧୮୦ ଲୋକ ଏମିତି ଅଛନ୍ତି ଯେଉଁମାନେ ମଶା ପାଳି ଏମାନଙ୍କ ସଂଖ୍ୟା ବୃଦ୍ଧି କରୁଛନ୍ତି। ଯଦିଓ ସେମାନେ ଅଜାଣତରେ ଏହା କରୁଛନ୍ତି କିନ୍ତୁ ସଚେତନ ନ ଥିବା ଜିଳ୍ଲାରେ ମ୍ୟାଲେରିଆ ସଂକ୍ରମଣ ବଢ଼ାଇବା କାମ କରୁଥିଲେ। ଏ ସମସ୍ତଙ୍କୁ ନୋଟିସ୍ ଜାରି କରିବା ସହ ପାଞ୍ଚଶହ ଟଙ୍କା ଜରିମାନା ପ୍ରତି ମଶା ପାଳକ ଉପରେ ଲଗାଯାଇଛି।
ଜିଲ୍ଲାର ଚାରିଟି ବ୍ଲକ୍, ସଲାରପୁର, ସମରେର୍, ଜଗତ ଓ ଦାତାଗଞ୍ଜରେ ଥିବା ୯୯ ଗାଁରେ ପ୍ରତିବର୍ଷ ବର୍ଷା ପରେ ମ୍ୟାଲେରିଆ ଦେଖାଦିଏ। ଏହା ଦ୍ବାରା ଶହ ଶହ ଲୋକଙ୍କ ପ୍ରାଣ ହରାନ୍ତି। ଯଦିଓ ସ୍ବାସ୍ଥ୍ୟ ବିଭାଗ ମ୍ୟାଲେରିଆ ମୃତ୍ୟୁ ଜନିତ ରେକର୍ଡ ରଖେ ନାହିଁ, ଏ ଘଟଣା କିନ୍ତୁ ଅସଲ ଚିତ୍ର ବୟାନ କରୁଛି। ସର୍ଭେ ସମୟରେ ଦେଖାଯାଇଥିଲା କେଉଁଠି କୁଲର୍ ପାଣି ବଦଳାଯାଇ ନ ଥିଲା ତ ଆଉ କେଉଁଠି ଫ୍ରିଜ୍ ପାଣି ଉଛୁଳୁ ଥିଲା। ନାଳ-ନର୍ଦମା ସଫେଇ ମଧ୍ୟ ଭଲ ନ ଥିଲା।