କାନପୁର: ପ୍ରଥମ ଦିନ ମାତ୍ର ୩୫ ଓଭର, ଦ୍ଵିତୀୟ ଓ ତୃତୀୟ ଦିନର ଖେଳ ରଦ୍ଦ ହେବା ପରେ ବି କାନପୁର ଟେଷ୍ଟ ରୋଚକ ମୋଡ଼ ନେଇଛି। ଶେଷ ଦିନରେ ଫଳାଫଳ ବାହାରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଚତୁର୍ଥ ଦିନରେ ୧୮ ଓ୍ଵିକେଟ୍ ପତନ ଏବଂ ୪୩୭ ରନ ହେବାରୁ ମ୍ୟାଚ୍ ରୋମାଞ୍ଚକର ହୋଇଛି। ଚତୁର୍ଥ ଦିନରେ ବାଂଲାଦେଶ ୨୩୩ ରନରେ ଅଲଆଉଟ୍ ହେବା ପରେ ଭାରତ ବିସ୍ଫୋରକ ବ୍ୟାଟିଂ କରି ୨୮୫/୯ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। ଆଉ ଦଳକୁ ୫୨ ରନର ଅଗ୍ରଣୀ ହାସଲ କରିଥିଲା। ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୨୬ ରନ କରିଛି। ଦଳ ଏବେ ବି ଭାରତଠୁ ୨୬ ରନରେ ପଛୁଆ ରହିଛି। କ୍ରିଜରେ ଶାଦମାନ ଇସ୍ଲାମ ୭ ରନ ଓ ମୋନିମୁକ ହକ ୦ ରନ ଅପରାଜିତ ଅଛନ୍ତି।
ବାଂଲାଦେଶ ତୃତୀୟ ଦିନର ଅସମାପ୍ତ ଖେଳ ୧୦୭/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଚତୁର୍ଥ ଦିନ ଖେଳ ଆରମ୍ଭରୁ ଭାରତୀୟ ବୋଲର ଶାଣିତ ବୋଲିଂ କରି ବାଂଲାଦେଶ ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇ ନ ଥିଲେ। ପ୍ରଥମ ଦିନରୁ ଅପରାଜିତ ଥିବା ମୋମିନୁଲ ହକ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଥିଲେ। ଏଥିସହିତ ନିଜର ଟେଷ୍ଟ କ୍ୟାରିୟରରେ ୧୩ତମ ଶତକ ଅର୍ଜନ କରିଛନ୍ତି। ତାଙ୍କର ଶତକ ବଳରେ ବାଂଲାଦେଶ ୨୩୩ ରନ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଶାଦମାନ ଇସ୍ଲାମ ୨୪ ରନ, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୩୧ ରନ ଓ ମେହଦି ହାସନ ମିର୍ଜା ୨୦ ରନ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ରହିଛନ୍ତି।
ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫୦ ରନ ବିନିମୟରେ ସବାଧିକ ୩ଟି ସଫଳତା ହାସଲ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ଏହା ପରେ ଭାରତ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲା। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ରୋହିତ ଶର୍ମା ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ମାତ୍ର ୩.୫ ଓଭରରେ ରୋହିତ ଓ ଜୟସ୍ଵାଲ ୫୫ ରନ ଯୋଡ଼ିଥିଲେ। ରୋହିତ ୨୩ ରନ କରି ଆଉଟ୍ ହୋଇଥିଲେ। ଜୟସ୍ଵାଲ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହିତ ୫୧ ବଲ୍ରୁ ୧୨ ଚୌକା ଓ ୨ ଛକା ସହ ୭୨ ରନ କରିଥିଲେ। ଶୁଭମନ ଗିଲ ୩୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ପନ୍ତ ୯ ରନ କରି ପାଭିଲିୟନ ଫେରିଥିଲେ।
ଏହା ପରେ ବିରାଟ କୋହଲି ଓ କେଏଲ ରାହୁଲ ରନ ଗତିକୁ ବଜାୟ ରଖି ପଞ୍ଚମ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡ଼ିଥିଲେ। କୋହଲି ୪୭ ରନର ଇନିଂସ ଖେଳି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ରାହୁଲ ୪୩ ବଲରୁ୬୮ ରନର ଦମଦାର ବ୍ୟାଟିଂ କରିଥିଲେ। ଏହା ପରେ ଭାରତ ଦ୍ରୁତ ବ୍ୟାଟିଂ କରିବା ପ୍ରୟାସ କରି ସଅଳ ଓ୍ଵିକେଟ୍ ହରାଇଥିଲା। ଦଳ ୯ ଓ୍ଵିକେଟ୍ ହରାଇ ୨୮୫ ରନ ସ୍କୋରରେ ଇନିଂସ ସମାପ୍ତି ଘୋଷଣା କରିଥିଲା।