ଆନନ୍ଦପୁର, ୨୪/୦୫: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବାତୋ ଗ୍ରାମର ୧୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କେନ୍ଦୁଝର ପୋଲିସ୍ । ମେଡିସିନ୍ କମ୍ପାନୀରେ କାମ କହି ଘଷିପୁରା ଥାନା ବଳରାମପୁର ଗାଁ ମାନସ ଆଚାର୍ଯ୍ୟ ନାମକ ଜଣେ ଦଲାଲ ଏମାନଙ୍କୁ ବିଶାଖାପାଟନମ୍ ନେଇଥିଲା । ସେଠାରେ ପହଁଞ୍ଚବା ପରେ ମେଡିସିନ କମ୍ପାନୀ ପରିବର୍ତ୍ତେ ଗରମ କୋଇଲା ଆଞ୍ଚରେ ଲୁହା ତରଳା ହେଉଥିବା ଏକ କମ୍ପାନୀରେ କାମ କରିବାକୁ ବାଧ୍ୟ କରିଥିଲା । ଶ୍ରମିକମାନେ ଏଭଳି କାମ ପୂର୍ବରୁ କରିନଥିବାରୁ କାମ କରିବାକୁ ମନା କରିଥିଲେ ।
ମାତ୍ର କମ୍ପାନୀ କର୍ମଚାରୀମାନେ କାମ କରିବାକୁ ବାଧ୍ୟ କରିବା ସହ କାମ ନକଲେ ଜୀବନରୁ ମାରି ଦେବା ଧମକ ଦେଉଥିଲେ । ଏଭଳି ପରିସ୍ଥିତିରେ ଭୟଭୀତ ଥିବା ଶ୍ରମିକମାନେ କୈଣସି ମତେ କେନ୍ଦୁଝର ପୋଲିସର ସବ୍-ଇନିସପେକ୍ଟର ବିଶ୍ୱଜିତ୍ ବେହେରାଙ୍କ ସହ ଯୋଗାଯୋଗ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀ ବେହେରା ପରେ ଆନ୍ଧ୍ରପ୍ରଦେଶ ରାମବିଲି ପୋଲିସ୍ ସହ ଯେଗାଯୋଗ କରିବାରୁ ୧୮ ଶ୍ରମିକ ସେଠାରୁ ମୁକୁଳି ଆଜି ଘରେ ପହଁଞ୍ଚିଛନ୍ତି । ଏନେଇ ସଂପୃକ୍ତ ଦଲାଲ ବିରୋଧରେ ରାମଚନ୍ଦ୍ରପୁର ପୋଲିସ୍ ଠାରେ ଅଭିଯୋଗ ହୋଇଛି ।