କୋଭିଡ୍-୧୯ ଭାଇରସ: ଗତ ୨୪ ଘଣ୍ଟାରେ ୧୭୧୮ ନୂଆ କେସ୍, ସୁସ୍ଥ ହୋଇଛନ୍ତି ୬୩୦
30/04/2020 at 4:54 PM

ନୂଆଦିଲ୍ଲୀ, ୩୦|୦୪: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଦେଶରେ କରୋନା ସ୍ଥିତି ବାବଦରେ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର ୨୫.୧୯ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ।
ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ୧୭୧୮ଟି ନୂଆ କେସ୍ ସାମ୍ନାକୁ ଆସିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୦୫୦ରେ ପହଁଚିଛି । ଏହା ମଧ୍ୟରୁ ୨୩୬୫୧ଟି ସକ୍ରିୟ ମାମଲା ରହିଛି । ଏହାସହ ୨୪ ଘଣ୍ଟାରେ ୬୩୦ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ମନ୍ତ୍ରାଳୟ ତରଫରୁ ଆହୁରି କୁହାଯାଇଛି ଯେ, ମୋଟ ସୁସ୍ଥ ହାର ୨୫.୧୯ ପ୍ରତିଶତ ରହିଛି । ୧୪ ଦିନ ପୂର୍ବରୁ ଏହା ୧୩ ପ୍ରତିଶତ ଥିଲା । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୭୮ ପ୍ରତିଶତ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ଥିଲେ । ଦେଶରେ କରୋନା ଜନିତ ମୃତ୍ୟୁହାର ୩.୨ ପ୍ରତିଶତ ରହିଛି । ଏହା ମଧ୍ୟରୁ ୬୫ ପ୍ରତିଶତ ପୁରୁଷ ଓ ୩୫ ପ୍ରତିଶତ ମହିଳା ରହିଛନ୍ତି । ଡବଲିଂ ରେଟ୍ ମଧ୍ୟ ୧୧ ଦିନର ହୋଇଯାଇଛି ।
ଗୃହ ମନ୍ତ୍ରାଳୟ କହିଛି ଯେ, ବିଭିନ୍ନ ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକ ଓ ଛାତ୍ରଙ୍କୁ ବସ ଯୋଗେ ଫେରାଇ ନେଉଛନ୍ତି । କେନ୍ଦ୍ରୀୟ ଟିମ୍ ହାଇଦ୍ରାବାଦ ଗସ୍ତ କରିଥିଲା । ଏଠାରେ ସମସ୍ତ ପ୍ରକାର ପ୍ରୋଟୋକଲ ପାଳନ କରାଯାଉଛି । ଏଠାରେ ଦୈନିକ ୩୦୦ ଟେଷ୍ଟ୍ କରାଯାଉଛି । ସୋସିଆଲ ଡିଷ୍ଟାନ୍ସିଂ ମଧ୍ୟ ଲୋକମାନେ ମାନୁଛନ୍ତି । କିନ୍ତୁ କିଛି ସ୍ଥାନରେ ଶ୍ରମିକମାନଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥିଲା ।