ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ ଘଟଣା, ଏତଲା ପରେ ୧୭ ଜଣ ମହିଳାଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | December 20, 2020 IST

ଗଞ୍ଜାମ ୨୦।୧୨: ନାବାଳିକାଙ୍କୁ ଉଲଗ୍ନ କରି ଗଛରେ ବାନ୍ଧି ମାଡ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଏଭଳି ଅଭାଭନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଦଳିତ ସାହି ରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ପ୍ରଜାକୋର୍ଟ ବସାଇ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ ଖଲ୍ଲିକୋଟ ଥାନାରେ ଏତଲା ପରେ ୧୭ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।

 ଖବର ଅନୁଯାୟୀ, ନାବାଳିକାଙ୍କ ବାପା ମୃତ୍ୟୁବରଣ କରିବା ପରେ ସେ ଓ ତାଙ୍କ ସାନ ଭଉଣୀ ନିଜ ଜେଜେମା ପାଖରେ ରହି ପାଠ ପଢୁଥିଲେ । ତାଙ୍କ ମା ଭୁବନେଶ୍ୱରରେ ରହି କାମ କରୁଥିଲେ । ତେବେ ନାବାଳିକାଙ୍କ ସହ ଜଣେ ଯୁବକଙ୍କ ପ୍ରେମ ବେପାରକୁ କେନ୍ଦ୍ର କରି ଗାଁରେ ପ୍ରଜାକୋର୍ଟ ବସିଥିଲା । ମହିଳା ଓ ପୁରୁଷ ମାନେ ମିଶି ନାବାଳିକାଙ୍କୁ ଗାଁ ମଝିରେ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିଥିଲେ । ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ନାବାଳିକାଙ୍କ ପରିବାର ଲୋକେ ଗାଁ ଲୋକଙ୍କ ଭୟରେ ରହିଥିବା ବେଳେ ଗତକାଲି ନାବାଳିକାଙ୍କ ଜେଜେ ମାଆ ଖଲ୍ଲିକୋଟ ଥାନାରେ ଏ ନେଇ ଏତଲା ଦେଇଥିଲେ । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ରାତିରେ ୧୭ ଜଣ ମହିଳାଙ୍କ ଗିରଫ କରିଛି । ପୋସ୍କୋ ଆଇନର ବିଭିନ୍ନ ଧାରାରେ ମହିଳା ମାନଙ୍କୁ କୋର୍ଟ ଚାଲାଣ କରିଥିବା ଖଲ୍ଲିକୋଟ ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.