ଗୁଲାମନବୀ ଆଜାଦଙ୍କ ପରେ କଂଗ୍ରେସ ଛାଡିଥିବା ୧୭ ନେତା ଫେରିଲେ ଦଳକୁ, କହିଲେ ତରବରିଆ ନେଇଥିଲେ ନିଷ୍ପତ୍ତି

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ ୬।୧: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ଯାତ୍ରା ଜମ୍ମୁ-କାଶ୍ମୀର ପହଞ୍ଚିବ। ତେବେ ତା ପୂର୍ବରୁ ଶୁକ୍ରବାର ଏକ ବଡ଼ ରାଜନୈତିକ ଘଟଣାକ୍ରମ ସାମ୍ନାକୁ ଆସିଛି। ତାହା ହେଉଛି ଗୁଲାମନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳକୁ ଗୁଡବାୟ କହିଥିବା ୧୭ ନେତା ଶୁକ୍ରବାର ପୁଣି ଦଳକୁ ଫେରିଛନ୍ତି। ଦଳକୁ ଫେରିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚନ୍ଦଙ୍କ ସମେତ ଅନେକ ଦିଗ୍ଗଜ ନେତା ମଧ୍ୟ ଅଛନ୍ତି।

କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) କେ.ସି.ବେଣୁଗୋପାଲ ଏହି ଅବସରରେ କହିଛନ୍ତି ଯେ ଆଜିର ଦିନକୁ କଂଗ୍ରେସ ଲାଗି ଏକ ବଡ ଦିନ ବୋଲି କୁହାଯାଇପାରେ। ଭାରତ ଯୋଡୋ ଯାତ୍ରା ଜମ୍ମୁ-କାଶ୍ମୀର ପହଞ୍ଚିବା ପୂର୍ବରୁ ପୁରୁଣା ନେତାମାନେ ଦଳକୁ ଫେରିଆସିଛନ୍ତି। ସେହିପରି ଗୁଲାମନବୀଙ୍କୁ ନେଇ ବେଣୁ ଗୋପାଲ କହିଛନ୍ତି ଯେ ଯେଉଁମାନେ କଂଗ୍ରେସ ବିଚାରଧାରା ସହିତ ଅଛନ୍ତି ଓ ଯେଉଁମାନେ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାକୁ ଚାହାନ୍ତି ସେମାନେ ନିଶଙ୍କାରେ ଯୋଗଦେଇ ପାରନ୍ତି ବୋଲି କହିଛନ୍ତି।

୧୭ ଜଣ ବଡ ନେତା କଂଗ୍ରେସ୍‌ରେ ଯୋଗ ଦେବା ପରେ ଜୟରାମ ରମେଶ ସନ୍ତୋଷ ବ୍ୟକ୍ତ କରିବା ସହ କେହି ହେଲେ କଂଗ୍ରେସ ଛାଡି ନଥିଲେ ବୋଲି କହିଛନ୍ତି। ସେମାନେ ଛୁଟିରେ ଯାଇଥିଲେ ଏବେ ଛୁଟିରୁ ଫେରିଛନ୍ତି। ତେବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚନ୍ଦ କହିଛନ୍ତି ଯେ ଆମେ ତରବରିଆ ଭାବେ ନିଷ୍ପତ୍ତି ନେଇଥିଲୁ। ଆମକୁ ଭ୍ରମିତ କରାଯାଉଥିଲା ଓ ଧର୍ମ ନିରପେକ୍ଷ ପାର୍ଟିକୁ ଦୁର୍ବଳ କରିବା ଲାଗି କାମ ହେଉଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.