ନୀରବ୍‌ ମୋଦି ଷ୍ଟାଇଲ୍‌ରେ ଆଉ ଏକ ଫ୍ରଡ୍‌, ପଞ୍ଜାବ ବ୍ୟାଙ୍କ୍‌ରୁ ଠକିନେଲେ ୧୬୯ କୋଟି

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ, ୨୪/୧୨: ବହୁ ଚର୍ଚ୍ଚିତ ନୀରବ ମୋଦି ଠକେଇ ଷ୍ଟାଇଲ୍‌ରେ ପୁଣିଥରେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ଠକେଇ ହୋଇଛି । ୪ ବର୍ଷ ପୂର୍ବେ ମାମୁଁ ମେହୁଲ୍‌ ଚୋକ୍‌ସି ଏବଂ ଭଣଜା ନୀରବ ମୋଦି ପିଏନ୍‌ବି ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଠକେଇ କରିଥିଲେ । ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଠିକ୍‌ ସେହିଭଳି ଠକେଇ ପୁଣିଥରେ ହୋଇଛି । ୩୪ଟି ଫୋକ୍‌ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଇସ୍ୟୁ କରି ଏବଂ ଏହାକୁ କୋର ବ୍ୟାଙ୍କ୍‌ ସିଷ୍ଟମରେ ନଦର୍ଶାଇ ଠକିନେଇଛନ୍ତି ୧୬୯ କୋଟି ଟଙ୍କା । ଏହାକୁ ନେଇ ସିବିଆଇରେ ଏକ ଠକେଇ ମାମଲା ରୁଜୁ ହୋଇଛି ।

ନଭେମ୍ୱର ୨୭ରେ ହୋଇଥିବା ବ୍ୟଙ୍କର ଅନ୍ତରୀଣ ଅନୁସନ୍ଧାନର ରିପୋର୍ଟ୍ ଅନୁସାରେ ଠକେଇ ଯୋଜନା ବହୁ ଆଗରୁ ହୋଇଛି । ଏଥିରେ ବ୍ୟାଙ୍କ୍‌ର ଷ୍ଟାଫ୍‌ ମଧ୍ୟ ସାମିଲ୍‌ ଅଛନ୍ତି । ଅଜଣା ବ୍ୟକ୍ତିଙ୍କ ସହ ମିଶି ସେ ଏହି ଠକେଇ ଯୋଜନା କରିଛନ୍ତି । ଏଥିପାଇଁ ସେ ବେଆଇନ୍‌ ଏବଂ ଅନୌପଚାରିକ ଭାବେ ବ୍ୟଙ୍କ୍‌ ସିଷ୍ଟମର ବ୍ୟବହାର କରି ୧୬୯ କୋଟି ଟଙ୍କା ଠକିବାରେ ସଫଳ ହୋଇଥିବା ଜଣାପଡ଼ିଛି ।  

ତେବେ ଏହି ମାମଲା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ କାନାରା ବ୍ୟାଙ୍କର କୋହିମା ଶାଖା ସଂସଦ ଗଳିରେ ଥିବା ପିଏନ୍‌ବି ବ୍ୟଙ୍କ ଶାଖାକୁ ନଭେମ୍ୱର ୧୮ରେ ୫.୬୦ କୋଟି ଟଙ୍କାର ବ୍ୟାଙ୍କ୍‌ ଗ୍ୟାରେଣ୍ଟିକୁ ଇସ୍ୟୁ କରିବା ନେଇ କାନାରା ବ୍ୟାଙ୍କ୍‌ ପିଏନ୍‌ବିକୁ ଏହି ଇଣ୍ଟିମେସନ୍‌ ଦେଇଥିଲା । ହେଲେ ବ୍ୟଙ୍କ୍‌ ରେକର୍ଡରେ ଗ୍ୟାରେଣ୍ଟି ନେଇ କୌଣସି ତଥ୍ୟ ନଥିବାରୁ ଠକେଇ ହୋଇଥିବା ଜଣାପଡ଼ିଥିଲା । ଏହି ଗ୍ୟାରେଣ୍ଟିରେ ୨ ବ୍ୟାଙ୍କ୍‌ କର୍ମଚାରୀ ଦସ୍ତଖତ କରିଥିଲେ । ଜଡ଼ିତ ବ୍ୟାଙ୍କ୍‌ ମ୍ୟାନେଜର ପ୍ରିୟ ରଞ୍ଜନ କୁମାରଙ୍କୁ ଏଥିପାଇଁ ଚାକିରୀରୁ ନିଲମ୍ୱିତ କରାଯାଇଥିବା ବେଳେ ମାମଲା ସାମ୍ନାକୁ ଆସିବା ପରେ ଅନ୍ୟଜଣେ କର୍ମଚାରୀ ଏ ଭେଙ୍କଟେସନ୍‌ ଚାକିରୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.