ଚାଷଜମିରୁ ମିଳିଲା ୧୬ବର୍ଷ ନାବାଳିକାର ମୃତଦେହ : ଅନର କିଲିଂ କିମ୍ବା ଗଣଦୁଷ୍କର୍ମକୁ ନେଇ ବଢ଼ିଲା ସନ୍ଦେହ
2/05/2020 at 12:43 PM

ପ୍ରତାପଗଡ଼ ୨/୫: ଅପ୍ରେଲ୍ ୨୬ତାରିଖରେ ଜଣେ ୧୬ବର୍ଷ ବୟସର ନାବାଳିକାଙ୍କ ଶବ ମିଳିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ଏକ ଗାଁରେ। ଶବ ନାବାଳିକାଙ୍କ ଘରର ପାଖାପାଖି ୭୦୦ମିଟର ଦୂର ଏକ କ୍ଷେତରୁ ମିଳିଛି। ପୋଲିସ୍ ପହଞ୍ଚି ଶବର ପୋଷ୍ଟମର୍ଟମ କରିଥିଲା। ଜଣା ପଡ଼ିଥିଲା ଯେ ନାବାଳିକାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ହୋଇ ଘଟିଛି। ତା ପରଦିନ ନାବାଳିକାଙ୍କ ଘରଲୋକେ ଶବର ଅନ୍ତିମ ସଂସ୍କାର କରି ମାମଲା ରୁଜୁ କରିବାକୁ ଥାନାରେ ପହଞ୍ଚିଥିଲେ। ସେମାନେ ଝିଅର ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ। ପାଖ ଗାଁର ୨ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା।
ପୋଲିସ୍ ମୃତ ନାବାଳିକାଙ୍କ ଘର ଲୋକ ଏବଂ ୨ଯୁବକଙ୍କୁ ଥାନାରେ ରଖି ପଚରାଉଚୁରା ଚଳାଇଛି। ମୃତ ନାବାଳିକାଙ୍କୁ ନ୍ୟାୟ ମିଳିବା ପାଇଁ ସୋସିଆଲ ମିଡିଆରେ ନାବାଳିକାଙ୍କ ଫଟୋ ଏବଂ ଭିଡିଓ ସେୟାର କରାଯାଇ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି କରାଯାଉଛି।
ସେପଟେ ମୃତ ନାବାଳିକାଙ୍କ ଭାଉଜ କହିଛନ୍ତି ଯେ ଅପ୍ରେଲ୍ ୨୬ତାରିଖରେ ନାବାଳିକା ରାତିରେ ଶୌଚ କରିବା ପାଇଁ କ୍ଷେତକୁ ଯାଇଥିବାବେଳେ ଆଉ ଫେରି ନଥିଲେ। ତା’ପରେ ତାଙ୍କୁ ବହୁତ ଖୋଜା ଯାଇଥିଲା। ପର ଦିନ ସକାଳେ ତାଙ୍କ ଶବ ଘରଠୁ ୭୦୦ମିଟର ଦୂର କ୍ଷେତରେ ପଡ଼ିଥିବାର ମିଳିଥିଲା। ପୋଲିସ୍ ମାମଲାର ତଦନ୍ତ ଜାରି ରଖିଛି।
ତାଙ୍କ ଭାଉଜ ମଧ୍ୟ କହିଛନ୍ତି ପୋଲିସ୍ ଏହାକୁ ଅନର କିଲିଂର ମଧ୍ୟ ରୂପ ଦେବାକୁ ଚାହୁଁଛି। ଏଥିପାଇଁ ସେ ପରିବାର ଲୋକଙ୍କୁ ହତ୍ୟା ସ୍ବୀକାର କରିବାକୁ ଚାପ ପ୍ରୟୋଗ କରୁଛି।