ଗୋପାଳ କୃଷ୍ଣ ଗାନ୍ଧୀ ନା ଆଉ କିଏ ? ଜଣଙ୍କୁ ପ୍ରାର୍ଥୀ କରିବା ନେଇ ସହମତି ହେଲେ ୧୬ ବିରୋଧୀ ଦଳ

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇ ଯାଇଛି । ଶାସକ ଏବଂ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି । ତେବେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ କରି ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କେମିତି ଟକ୍କର ଦିଆଯାଇ ପାରିବ ତାକୁ ନେଇ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ନେଇ ବୁଧବାର ନୂଆଦିଲ୍ଲୀରେ ବିରୋଧୀ ଦଳଗୁଡିକର ବୈଠକ ଡକାଇଥିଲେ ମମତା ବାନାର୍ଜୀ । ବୈଠକ ପରେ ନେତା କହିଛନ୍ତି ଯେ, ୧୬ଟି ଦଳଙ୍କର ଜଣେ ପ୍ରାର୍ଥୀ ରହିବେ, ଯଦ୍ୱାରା ମୋଦୀ ସରକାରଙ୍କୁ କଡା ଟକ୍କର ଦିଆଯାଇ ପାରିବ ।

ବିରୋଧୀ ଦଳଗୁଡିକର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଟିଆରଏସ, ବିଜେଡି ଏବଂ ଆମ୍ ଆଦମୀ ପାର୍ଟି ଦୂରେଇ ରହିଥିଲେ ହେଁ ବାକି ବିରୋଧୀଦଳର ନେତା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ସବୁଠୁ ଆଗରେ ରହିଛି । ଗୋପାଳ କୃଷ୍ଣ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ନାତି । ସେ ପଶ୍ଚିମବଙ୍ଗର ରାଜ୍ୟପାଳ ରହିବା ସହ ପ୍ରଶାସନିକ ଅଧିକାରୀ ଭାବେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କାରେ ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ସମସ୍ତ ବିରୋଧୀ ଦଳର ନେତା ସ୍ଥିର କରିଛନ୍ତି ଯେ, ଜଣଙ୍କୁ ହିଁ ପ୍ରାର୍ଥୀ କରାଯିବ ଯଦ୍ୱାରା ମୋଦୀ ସରକାରଙ୍କ ବିରୋଧରେ ନିଜର ପ୍ରାର୍ଥୀଙ୍କୁ ଦୃଢତାର ସହ ଛିଡା କରାଯାଇ ପାରିବ । ଏଥିସହ କେନ୍ଦ୍ର ସରକାରଙ୍କ ଦମନକାରୀ ନୀତି ଉପରେ ଲଗାମ ଲଗାଯାଇପାରିବ । ବୁଧବାର ବିରୋଧୀ ଦଳଗୁଡିକର ଏହି ବୈଠକ ଶରଦ ପାୱାରଙ୍କ ନେତୃତ୍ୱରେ ହୋଇଛି ।

ଏହି ବୈଠକରେ ମମତା ବାନାର୍ଜୀଙ୍କ ବ୍ୟତୀତ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଏନସିପି ନେତା ଶରଦ ପାୱାର ଏବଂ ପ୍ରଫୁଲ ପଟେଲ୍‌, ଜେଡିଏସର ଏଚଡି ଦେବେଗୌଡା ଓ ଏଚଡି କୁମାରସ୍ୱାମୀ, କଂଗ୍ରେସର ଜୟରାମ ରମେଶ ଏବଂ ରଣଦୀପ ସୁରଜେୱାଲା, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ପିଡିପିର ମେହବୁବା ମୁଫତି, ଆରଏଲଡିର ଜୟନ୍ତ ଚୌଧୁରୀ, ସିପିଆଇର ବିନୟ ବିଶ୍ୱମ, ଆରଜେଡିର ମନୋଜ ଝା ଏବଂ ଟିଏମସିର ସୁଖେନ୍ଦୁ ଶେଖର ଆଦି ଯୋଗ ଦେଇଥିଲେ । ଏଆଇଏଡିଏମକେ, ଶିବସେନା, ନ୍ୟାସନାଲ କନଫରେନ୍ସ, ଆଇୟୁଏମଏଲ, ବାମ ଦଳ ଏବଂ ଜେଏମଏମର ନେତା ମଧ୍ୟ ବୈଠକରେ ସାମିଲ୍ ହୋଇଥିଲେ ।

ଏନସିପି ନେତା ଶରଦ ପାୱାରଙ୍କ ନାମରେ ପ୍ରାୟ ସମସ୍ତ ଦଳର ସହମତି ଥିଲା । ହେଲେ ଶରଦ ପାୱାର ପ୍ରାର୍ଥୀ ହେବାକୁ ମନା କରି ଦେଇଥିଲେ । ସେ କହିଛନ୍ତି, ମୋତେ ଏବେ ସକ୍ରିୟ ରାଜନୀତିରେ ରହିବାର ଅଛି । ଶରଦଙ୍କ ପରେ ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ମମତା ବାନାର୍ଜୀଙ୍କ ତରଫରୁ ଯଶବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର କାହା ଉପରେ ସହମତି ପ୍ରକାଶ ପାଇନଥିଲା । ଏହି ପୂରା ଘଟଣାକ୍ରମରେ କଂଗ୍ରେସ ନିରବ ରହିଥିଲା ।

ସୂତ୍ର ମୁତାବକ ବାମ ଦଳ ତରଫରୁ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ ପ୍ରାୟ ସମସ୍ତ ବିରୋଧୀ ଦଳ ନିଜର ସହମତି ପ୍ରକାଶ କରିଛନ୍ତି । କେବଳ କଂଗ୍ରେସ ପ୍ରତିନିଧିଙ୍କ ତରଫରୁ କୌଣସି ଉତ୍ତର ମିଳିନଥିଲା । ନିଜ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଗକୁ ଆସିବା ପରେ ଏହା ଉପରେ ବିଚାର କରିବାକୁ ସମୟ ମାଗିଛନ୍ତି ଗୋପାଳ କୃଷ୍ନ ଗାନ୍ଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.