୫୯ ଜିଲ୍ଲା କରୋନା ମୁକ୍ତ, ୧୮ ରାଜ୍ୟରେ ହ୍ରାସ ପାଇଲା କରୋନା ସଂକ୍ରମଣ ହାର

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୦୪: ବିଶ୍ଵ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଭାରତରେ ଦ୍ରୁତ ବେଗରେ ବଢି ଚାଲିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ  ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ସେପଟରେ କରୋନା ଭାଇରସ୍‌ରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୭୨୬୫ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨୫୪୬ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ୧୮ ରାଜ୍ୟରେ କରୋନା ସଂକ୍ରମିତ ହାର ହ୍ରାସ ପାଇଛି। ଏହି ରାଜ୍ୟ ଗୁଡିକ ମଧ୍ୟରୁ ଓଡିଶା ଓ କେରଳରେ ସଂକ୍ରମିତ ହାର ସବୁଠୁ କମ ରହିଛି।

ଦେଶରେ ୫୯ ଜିଲ୍ଲା କରୋନା ମୁକ୍ତ

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍ ଆସିନାହିଁ। ସେହି ପରି ପୁଡୁଚେରୀରେ ମାହେ, କର୍ଣ୍ଣାଟକରେ କୋଡାଗୁ ଓ ଉତ୍ତରାଖଣ୍ଡରେ ପୌଡି ଗଢବାଲରେ ଗତ ୨୮ ଦିନରେ କୌଣସି କରୋନା କେସ୍ ସାମ୍ନାକୁ ଆସିନାହିଁ। ୧୮ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିଗୁଣିତ ହାର ହ୍ରାସ ଘଟିଛି। ୩.୪ ପରିବର୍ତ୍ତେ ଏବେ ୭.୫ ଦିନରେ ଦ୍ଵିଗୁଣିତ ଆକ୍ରାନ୍ତ ଦେଖାଯାଉଛି।

ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, କିଛି ରାଜ୍ୟରେ କରୋନା ମାମଲା ଦ୍ଵିଗୁଣ ହେବା ହାର ୨୦ ରୁ ୩୦ ଦିନ ରହିଛି। ଓଡିଶା ଓ କେରଳରେ ଏହି ହାର ୩୦ ଦିନରୁ ଅଧିକ ରହିଛି। ଗୋଆରେ କରୋନା ଭାଇରସ୍‌ର କୌଣସି ସକ୍ରିୟ କେସ୍ ନାହିଁ। ସମସ୍ତ ପୁରୁଣା ରୋଗୀ ସୁସ୍ଥ  ହୋଇ ଘରକୁ ଫେରି ସାରିଛନ୍ତି।

ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଦିଲ୍ଲୀରେ ୮.୫ ଦିନରେ କରୋନା ସଂକ୍ରମଣ ହାର ଦ୍ଵିଗୁଣିତ  ହେଉଛି। ସେହି ପରି କର୍ଣ୍ଣାଟକରେ ୯.୨ ଦିନ, ତେଲେଙ୍ଗାନାରେ ୯.୪ ଦିନରେ, ଆନ୍ଧ୍ର ପ୍ରଦେଶରେ ୧୦.୬ ଦିନରେ, ଜାମ୍ମୁ-କାଶ୍ମୀରରେ ୧୧.୫ ଦିନରେ, ପଞ୍ଜାବରେ ୧୩.୧ ଦିନରେ, ଛତିଶଗଡରେ ୧୩.୩ ଦିନରେ, ତାମିଲନାଡୁରେ ୧୪ ଦିନରେ ଓ ବିହାରରେ ୧୬.୪ ଦିନରେ ସଂକ୍ରମଣ ହାର ଦ୍ଵିଗୁଣିତ ହେଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଉପରେ ନଜର ରଖିଛନ୍ତି। ମନ୍ତ୍ରଣାଳୟରେ ଗଠିତ କଣ୍ଟ୍ରୋଲ ରୁମରୁ ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ସମ୍ବନ୍ଧିତ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଉଛି। ରାଜ୍ୟଗୁଡିକୁ ଅପିଲ୍ କରାଯାଉଛି ଯେ, ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଦିଗରେ ନିର୍ଦ୍ଦେଶର ପାଳନ କରନ୍ତୁ।

ଗୃହ ମନ୍ତ୍ରଣାଳୟ କହିଛି କେରଳ ସରକାର ଦ୍ଵାରା ଲକ୍‌ଡାଉନ୍‌ ସମୟରେ ଦିଆଯାଇଥିବା କୋହଳ ବିପର୍ଯ୍ୟୟ ପ୍ରଶମନ ଅଧିନିୟମ ୨୦୦୫ ଆଧାରରେ ଜାରି ନିୟମର ଉଲ୍ଲଂଘନ କରୁଛି। ରାଜ୍ୟ ସରକାରଙ୍କୁ ଅପିଲ୍ କରାଯାଇଛି ଯେ, କେନ୍ଦ୍ର ଦ୍ଵାରା ଜାରି ଗାଇଡ୍‌ ଲାଇନ୍‌ର ପାଳନ କରନ୍ତୁ। ଲକ୍‌ଡାଉନ୍‌ରେ କୋହଳ ଦିଆଯିବାର ଅଧିକାର କେନ୍ଦ୍ରର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.