ନୂଆଦିଲ୍ଲୀ : ଜୁନ୍ ମାସରେ ୧୫,୦୦୦ରୁ ଅଧିକ କମ୍ପାନି ଭାରତରେ ନିଜର ୟୁନିଟ୍ ସ୍ଥାପନ କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ଏଥିରେ ଅନେକ ବିଦେଶୀ କମ୍ପାନି ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ବଡ଼ ସଂଖ୍ୟାରେ ଇନଫ୍ରାଷ୍ଟ୍ରକ୍ଚରରେ ଉପଯୋଗ ହେବାକୁ ଥିବା ମେସିନ ନିର୍ମାଣ କରନ୍ତି । କର୍ପୋରେଟ୍ ମାମଲାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଡାଟାରୁ ଏହି ସୂଚନା ମିଳିଛି ।
ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ହାଇୱେ, ପୋର୍ଟ ଏବଂ ରେଲୱେ ପ୍ରୋଜେକ୍ଟରେ ପୁଞ୍ଜି ନିବେଶ କାରଣରୁ ବଡ଼ ମେସିନର ଚାହିଦା ଦେଖିବାକୁ ମିଳିଛି । ଏହାସହ କହିଛନ୍ତି ଯେ ଏହା ଭାରତର ମେକ୍-ଇନ୍-ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ମଧ୍ୟ ଦର୍ଶାଉଛି । ଯେଉଁଥି ପାଇଁ ବିଦେଶୀ କମ୍ପାନି ଭାରତରେ ନିଜ ଅପରେସନ ଆରମ୍ଭ କରିବାକୁ ଚାହୁଁଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ନୂଆ କମ୍ପାନି ଆସିବା ପରେ ବହୁ ସଂଖ୍ୟାରେ ଯୁବକଙ୍କୁ ରୋଜଗାର ମିଳିବ ।
ଭାରତ ସରକାର ବଡ଼ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟରେ ନିବେଶ କାରଣରୁ ଷ୍ଟିଲ୍ ଏବଂ ସିମେଣ୍ଟର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଯେଉଁଥି ପାଇଁ ଘରୋଇ ନିବେଶ ମଧ୍ୟ ବଢୁଛି ଏବଂ ରୋଜଗାରର ଅଧିକ ସୁଯୋଗ ଲୋକଙ୍କୁ ମିଳୁଛି । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ ସରକାର ଭିତ୍ତିଭୂମି ଉପରେ କ୍ୟାପିଟାଲ୍ ଏକ୍ସପେଣ୍ଡିଚର (ପୁଞ୍ଜିଗତ ବ୍ୟାୟ) ଲକ୍ଷ୍ୟ ୩୭.୪ ପ୍ରତିଶତ ବଢାଇ ୧୦ ଲକ୍ଷ କୋଟି ଟଙ୍କା କରିଥିଲେ । ଏହାପରେ ୨୦୨୪ର ଅନ୍ତରୀଣ ବଜେଟରେ ପୁଞ୍ଜିଗତ ବ୍ୟୟ ଲକ୍ଷ୍ୟ ୧୧.୧୧ ପ୍ରତିଶତ ବଢାଇ ୧୧.୧୧ ଲକ୍ଷ କୋଟି ଟଙ୍କା କରାଯାଇଥିଲା ।