ପେଜର ଏବଂ ୱକି-ଟକି ବ୍ଲାଷ୍ଟ ପରେ ହେଜବୁଲ୍ଲାର ଭାଙ୍ଗିଲା ଅଣ୍ଟା, ଯୁଦ୍ଧରୁ ହଟିଲେ ୧୫୦୦ ସଦସ୍ୟ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ଲେବାନନରେ ସକ୍ରିୟ ଉଗ୍ରବାଦୀ ସଂଗଠନ ହେଜବୁଲ୍ଲା ଉପରେ ଇସ୍ରାଏଲ୍ ଟେକ୍ନୋଲଜି ୱାରଫେୟର ଜରିଆରେ ଆକ୍ରମଣ କରିଥିଲ। । ଇସ୍ରାଏଲ୍ ହେଜବୁଲ୍ଲା ସଦସ୍ୟ ବ୍ୟବହାର କରୁଥିବା ପେଜର ଏବଂ ୱକି-ଟକି ବ୍ଲାଷ୍ଟ କରିଥିଲା । ଏହି ବିସ୍ଫୋରଣରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩୦୦୦ ଲୋକ ଆହତ ହୋଇଛନ୍ତି । ଏବେ ହେଜବୁଲ୍ଲାକୁ ଆହୁରି ଏକ ବଡ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁସାରେ ପେଜର ଏବଂ ୱକି-ଟକି ବିସ୍ଫୋରଣ ଯୋଗୁଁ ହେଜବୁଲ୍ଲା ସଦସ୍ୟ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି । ସ୍ଥିତି ଏପରି ହୋଇଛି ଯେ ହେଜବୁଲ୍ଲାର ୧୫୦୦ ଯବାନ ଯୁଦ୍ଧରୁ ହଟିଛନ୍ତି ।

ପେଜର ଏବଂ ୱକି-ଟକି ବିସ୍ଫୋରଣରୁ ହେଜବୁଲ୍ଲାର ଅନେକ ସଦସ୍ୟଙ୍କ ଆଖି ନଷ୍ଟ ହୋଇଥିବା ବେଳେ ଅନେକଙ୍କ ହାତ-ଗୋଡ଼ ନଷ୍ଟ ହୋଇଛି । ଆମେରିକା କଂଗ୍ରେସର ଏକ ରିପୋର୍ଟ ଅନୁସାରେ ହେଜବୁଲ୍ଲାର ପ୍ରାୟ ୪୦ରୁ ୫୦ ହଜାର ଯବାନ ଅଛନ୍ତି । ଏହା ଏକ ବଡ଼ ସଂଖ୍ୟା । ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାଙ୍କ କହିବା ଅନୁସାରେ ତାଙ୍କ ପାଖରେ ପ୍ରାୟ ୧ ଲକ୍ଷ ଯବାନ ଅଛନ୍ତି । ଏବେ ସୁଦ୍ଧା ଇସ୍ରାଏଲର ପେଜର ଏବଂ ୱକି-ଟକି ବିସ୍ଫୋରଣକୁ ନେଇ କୌଣସି ବୟାନ ଦେଇ ନାହିଁ, କିନ୍ତୁ ଲେବାନନ ଏହି ବିସ୍ଫୋରଣ ପାଇଁ ଇସ୍ରାଏଲକୁ ହିଁ ଦାୟୀ କରିଛି ।

ଏହା ପରଠୁ ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ଆକ୍ରମଣ ତୀବ୍ର ହୋଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ହୋଇସାରିଛି । ସ୍ଥିତି ଏପରି ହୋଇଛି ଯେ ଲେବାନନର ଶିୟା ସମୁଦାୟର ନେତୃତ୍ୱରେ ଥିବା ସରକାର ଚିନ୍ତାରେ ରହିଛି । ଇସ୍ରାଏଲର କହିବା ଅନୁସାରେ ହେଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିବ ଏବଂ ହମାସ ପରି ପୂରା ସମାପ୍ତ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.