ସମାଜର ମୁଖ୍ୟ ସ୍ରୋତକୁ ଫେରୁଛି ମାଓ ସଂଗଠନ, ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୧୫୦ରୁ ଅଧିକ ସମର୍ଥକ
22/08/2022 at 2:29 PM

ଚିତ୍ରକୋଣ୍ଡା ୨୨/୦୮: ଭାଂଗିଲା ମାଓଗଡ଼ । ମୁଖ୍ୟ ସ୍ରୋତକୁ ଫେରିଲେ ୧୫୦ ମାଓ ସମର୍ଥକ । ଦୀର୍ଘ ଦିନ ପରେ ଏମିତି କିଛି ନିଆରା ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ।
ଆଜି ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର ୧୫୦ରୁ ଉର୍ଦ୍ଧ୍ୱ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିବା ସହ ବିଶେଷ କରି ଓଡିଶା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଦେଖି ମୁଖ୍ୟସ୍ରୋତକୁ ଫେରିବା ସହ ସୁରକ୍ଷା କର୍ମୀଙ୍କ ସହ ମିଶି ମାଓ ସହିଦ ସ୍ତୁପକୁ ଭାଙ୍ଗିଛନ୍ତି ।
ପୂର୍ବରୁ ଏହି ସମର୍ଥକ ମାନେ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । କିନ୍ତୁ ସ୍ୱାଭିମାନ ଅଞ୍ଚଳରେ ଏକାଧିକ BSF କ୍ୟାମ୍ପ ସ୍ଥାପନ ହେବା ପରେ ଯବାନ ମାନଙ୍କ ଘନ ଘନ କୁମ୍ବିଂ ଅପରେସନ କାରଣରୁ ମାଓବାଦୀଙ୍କ ଲାଲଗଡ ଭୁଶୁଡି ପଡିଥିଲା । ରାଜ୍ୟ ସରକାର ବିକାଶ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥିବା ଦେଖି ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇ ମାଓବାଦୀ ମୁରଦାବାଦର ନାରା ମଧ୍ୟ ଦେଇଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ନିତେଶ ୱାଧମାନି ବିଏସ ଏଫ ଡିଆଇଜି Sk Sinha , ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଅଂଶୁମାନ ଦିବେଦିଙ୍କ ସହ ଚିତ୍ରକୋଣ୍ଡା ଓ ଯୋଡ଼ାଆମ୍ବ ଥାନା ଅଧିକାରୀ ସାମିଲ ଥିଲେ । ଆଗାମୀ ଦିନରେ ଆତ୍ମ ସମର୍ପଣ କରିଥିବା ମାଓ ସମର୍ଥକ ମାନେ ଏଥର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ସହ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ମାଲକାନଗିରି ବି.ଏସ୍. ଏଫ୍ ଡି.ଆଇ.ଜି କହିଛନ୍ତି ।