କୁହୁଡି ଚାଦର ତଳେ ଦିଲ୍ଲୀ ସମେତ ପୂରା ଉତ୍ତର ଭାରତ: ୨୯ ଟ୍ରେନ୍ ସହ ୧୫୦ ବିମାନ ଉଡାଣରେ ବିଳମ୍ବ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ସାଙ୍ଗଗକୁ କୁହୁଡ଼ି ଜାଲ ଆକାଶକୁ ଘେରି ରଖିଛି। ପ୍ରବଳ କୁହୁଡ଼ି  ସାଙ୍ଗକୁ ଦୃଶ୍ୟମାନ କ୍ଷମତା(ଭିଜିବିଲିଟି) କମିଯାଇଥିବାରୁ ୨୯ ଟ୍ରେନ୍ ସାଙ୍ଗକୁ ୧୫୦ ଘରୋଇ ବିମାନ ଉଡ଼ା ବିଳମ୍ବ ହୋଇଛି। ଲଗାତର ୫ ଦିନ ପାଇଁ ଦିଲ୍ଲୀରେ ଏଭଳି କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି।
ଆଜି ସକାଳେ ଦିଲ୍ଲୀରେ ଦୃଶ୍ୟମାନ ସ୍ଥିତି ୨୦୦ ମିଟରକୁ ଖସିଆସିଛି। ଏହି କାରଣରୁ ଗାଡ଼ିଗୁଡ଼ିକ ଲାଇଟ୍ ଜାଳି ଧୀରେ ଧୀରେ ଚାଲୁଥିବାର ଦେଖାଯାଇଛି। ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ମଧ୍ୟ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

ସଫଦରଗଞ୍ଜ ପର୍ଯ୍ୟବେକ୍ଷଣ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଜି ସକାଳେ ଦିଲ୍ଲୀରେ ମାତ୍ର ୩.୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରହିଛି। ଲୋଧୀ ରୋଡ, ଆର୍ଯ୍ୟ ନଗର ସର୍ବନିମ୍ନ ୩.୬ ଓ ୩.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା।   ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ପୂରା ଉତ୍ତର ଭାରତରେ କୁହୁଡ଼ିଆ ପରିବେଶ ରହିଛି।

ଗତକାଲି ପଞ୍ଜାବ ଭଟିଣ୍ଡାରେ ଶୂନ ଦୃଶ୍ୟମାନ(ଜିରୋ ଭିଜିବିଲିଟି) ଥିଲା ବୋଲି ଆଇଏମ୍‌ଡି କହିଛି। ହେଲେ ଆଜି ସକାଳେ ଆଇଏମ୍‌ଡି ଏକ ସାଟେଲାଇଟ୍ ଫଟୋ ଶେୟାର କରିଛି ଯେଉଁଥିରେ ପଞ୍ଜାବ, ଏବଂ ଉତ୍ତରପୂର୍ବ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀକୁ କୁହୁଡ଼ି ଆଚ୍ଛାଦିତ କରି ରଖିଥିବାରର ଦେଖାଯାଉଛି।

ଏହି କାରଣରୁ ଟ୍ରେନ୍ ଓ ଫ୍ଲାଇଟ୍ ବିଳମ୍ବ ହେଉଛି। ଆସନ୍ତା ଦୁଇ ଦିନ ଦିଲ୍ଲୀ ସମେତ ଉତ୍ତର ଭାରତରେ ଏଭଳି ସ୍ତିତି  ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଗତକାଲି ଦିଲ୍ଲୀରେ ୧.୯ ଡିଗ୍ରୀ ସେଲ୍‌ସିୟସ ଥିଲା। ଯାହା ଦଶନ୍ଧୀରେ ଦ୍ୱିତୀୟ ସର୍ବନିମ୍ନ ତାପମାତ୍ରା ବୋଲି ପାଣିପାଗ ବିଭାଗ କହିଛି। ଦିଲ୍ଲୀରେ ସ୍ଥିତି ସୋଚନୀୟ ଥିବାର ଜାନୁଆରୀ ୧୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.