ସାଥି କଏଦୀଙ୍କ ହତ୍ୟା ଘଟଣାରେ ୧୫ ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ
18/08/2022 at 5:10 PM

ରାଞ୍ଚି: ସାଥି କଏଦୀକୁ ହତ୍ୟା ଘଟଣାରେ ୧୫ ଜଣ କଏଦୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା କୋର୍ଟ। ଗୁରୁବାର ଝାଡ଼ଖଣ୍ଡ ପୂର୍ବ ସିଂଘଭୂମୀ ଜିଲ୍ଲା ଅତିରିକ୍ତ କୋର୍ଟ ଦୋଷୀମାନଙ୍କୁ ଏଭଳି ସଜା ଶୁଣାଇଛନ୍ତି। ଜାମସେଦପୁରରେ ୨୦୧୯ ଘାଘିଡିହ ସେଣ୍ଟ୍ରାଲ୍ ଜେଲ୍ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୫ ଜଣ ମିଶି ଜଣେ ସାଥି କଏଦୀଙ୍କୁ ହତ୍ୟା କରିଥିଲେ।
ଏହି ୧୫ ଜଣ ଦୋଷୀ ଅପିସି ଧାରା ୩୦୨(ହତ୍ୟା), ୧୨୦ବି ( ଅପରାଧିକ ଷଡ଼ଯନ୍ତ୍ର) ଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମାମଲାର ଶୁଣାଣି କରୁଥିବା ଅତିରିକ୍ତ ବିଚାରପତି-୪ ରାଜେନ୍ଦ୍ର କୁମାର ସିହ୍ନା ୧୫ ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଥିବା ଅତିରିକ୍ତ ଶରକାରୀ ଓକିଲ ରାଜୀବ କୁମାର କହିଛନ୍ତି। ଏହା ବାଦ ଅନ୍ୟ ୭ ଜଣଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏମାନେ ଧାରା ୩୦୭(ହତ୍ୟା ଉଦ୍ୟମ)ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନସାରେ, ୨୦୧୯ ଜୁନ ୨୬ ତାରିଖରେ ଜେଲ୍ ଭିତରେ ଦୁଇ ଗୋଷ୍ଠୀ ମାର୍ପିଟ୍ ଲାଗିଥିଲେ। ଏଥିରେ ମନୋଜ କୁମାରଙ୍କ ସହ ଦୁଇ ଜଣ କଏଦୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ମନୋଜ କୁମାରଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରସୁଡିହ ଥାନାରେ ହିଂସାକାଣ୍ଡ ନେଇ ମାମଲା ହୋଇଥିଲା।