ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍ ଭ୍ୟାନ୍, ୧୫ ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | February 23, 2020 IST

କେନ୍ଦୁଝର ୨।୨: କେନ୍ଦୁଝରରେ ଓଲଟିଲା ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଦେବଗଡର ମାଦାଳିଆ ଗାଁରୁ ୧୫ଜଣିଆ ଏକ ଦଣ୍ଡ ନୃତ୍ୟ ଦଳ ଏକ ପିକଅପ୍ ଭ୍ୟାନରେ କେନ୍ଦୁଝର ବାଂଶପାଳ ବ୍ଲକର ବିରକଳା ଗାଁକୁ ଦଣ୍ଡନୃତ୍ୟ କରିବାକୁ ଆସୁଥିଲେ । ପିକ୍ଅପ୍ ଭ୍ୟାନର ଡ୍ରାଇଭର ପ୍ରଚୁର ମଦ ପିଇ ଗାଡି ଚଳାଉଥିବା ବେଳେ ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ବିରକଳା ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଗାଡିର ଥିବା ସମସ୍ତ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୮ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୭ଜଣ ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।  ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.