ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27/01/2023 at 9:50 PM

ଭଦ୍ରକ: ରାସ୍ତାରେ ଯାଉଥିବା ବେଳେ ବାହାରିଗଲା ବସ୍ ଚକ। ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍। ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଭଦ୍ରକ ମଞ୍ଜୁରୀରୋଡ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଅମ୍ରିତ ନାମକ ଯାତ୍ରୀବାହୀ ବସ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସର ଆଗ ଚକର ପତି ଭାଙ୍ଗିଯିବା ପରେ ଷ୍ଟିୟରିଂ ଫେଲ୍ ମାରିବାରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।
କୁଳଣା ଛକ ନିକଟରେ ବସର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ୍ ହୋଇଥିଲା।ଏହାପରେ ବସ୍ରୁ ଚକ ବାହାରି ଯାଇଥିଲା। ତେବେ ଡ୍ରାଇଭର ଗାଡିକୁ ପାଚେରୀ ଆଡକୁ ନନେଇ ରାସ୍ତା ନିକଟରେ ଏକ ଖାଲକୁ ଗଡାଇ ଦେଇଥିଲେ। ଏଥିରେ ୧୫ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅନ୍ଧାର ହୋଇଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।