୧୪୪ ଧାରାକୁ ବିରୋଧ: ରାଜସ୍ୱ ନିରିକ୍ଷକ ଓ ଥାନାଧିକାରୀଙ୍କୁ ଅଟକ ରଖିଲେ ମହିଳା
31/12/2022 at 8:01 PM

ଚାନ୍ଦବାଲି ୩୧/୧୨: ୭ ପୋଲିସ କର୍ମଚାରୀଙ୍କ ସହିତ ରାଜସ୍ୱ ନିରିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଦୀର୍ଘ ୪ ଘଣ୍ଟା ଅଟକ ରଖିବା ପରେ ସେମାନଙ୍କୁ ଛଡ଼ାଯାଇଛି। କିର୍ତ୍ତନ ଗାଦିରେ ନାଲି ପତାକା ପୋତି ୧୪୪ ଧାରା ଲାଗୁ କରିବାରୁ ଏପରି କାଣ୍ଡ ଦେଖିବାକୁ ମିଳିଛି। ୧୪୪ ଧାରା କାହିଁକି ଲାଗୁ କଲ ସେନେଇ ପ୍ରଶ୍ନ କରି ଗାଁର ମହିଳାମାନେ ଏହାକୁ ବିରୋଧ କରି ପୋଲିସ ଗାଡ଼ି ଅଟକାଇଥିଲେ। ଏପରି ବିବାଦିୟ ପରିସ୍ଥିତି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ ଅଧୀନରେ ଥିବା ବାରାକୁହ୍ଲା ଗାଁରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ବାରାକୁହ୍ଲାରେ କିର୍ତନ ଗାଦିକୁ ନେଇ ବହୁଦିନ ହେଲା ବିବାଦ ଥିଲା। ଶନିବାର ବାଂଶଡ଼ା ଥାନାଧିକାରୀଙ୍କ ସହିତ ୭ କର୍ମଚାରୀ ଓ ଯଶୀପୁର ଆର୍ଆଇ ଗାଁକୁ ଆସି ସେହି ଜାଗାରେ ନାଲି ପତାକା ମାରି ୧୪୪ ଧାରା ଜାରି କରିଥିଲେ। ହେଲେ ବାରାକୁହ୍ଲାରେ ଏହାକୁ ବିରୋଧ କରି ମହିଳାମାନେ ପୋଲିସ ଗାଡି ଅଟକାଇଥିଲେ। କ’ଣ ପାଇଁ ନାଲି ପତାକା ମାରି ୧୪୪ ଧାରା ଜାରି କରାଗଲା ଏହାକୁ ବିରୋଧ କରି ଗାଁର ମହିଳା ଧାରଣାରେ ବସି ପୋଲିସ ଗାଡିକୁ ଅଟକାଇ ଥିଲେ। କେବଳ ପୋଲିସ ନୁହେଁ ଯଶୀପୁର ପଞ୍ଚାୟତର ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଅଟକ ରଖିଥିଲେ। ବହୁ ସମୟ ଅଟକାଇବା ପରେ ଆସନ୍ତା ୨ରେ ଗାଁଲୋକଙ୍କ ସହିତ ସାମୁହିକ ଆଲୋଚନା ନିଷ୍ପତ୍ତି ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହୃତ କରିଛନ୍ତି। ଏନେଇ ରାଜଦସ୍ୱ ନିରିକ୍ଷକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।