ମୁମ୍ବାଇରେ ହେବ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୪୦ତମ ବୈଠକ, ୪୦ ବର୍ଷ ପରେ ଭାରତକୁ ମିଳିଲା ଆୟୋଜନ ଅଧିକାର
19/02/2022 at 4:19 PM

ନୂଆଦିଲ୍ଲୀ ୧୯।୦୨: ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଶନିବାର ବେଜିଂରେ ବସିଥିବା କମିଟିର ୧୩୯ତମ ବୈଠକ ସମୟରେ ଭାରତ ଆଗାମୀ ବୈଠକ ଆୟୋଜନର ଅଧିକାର ହାସଲ କରିଛି। ବୈଠକରେ କୌଣସି ସଦସ୍ୟ ଭାରତର ବିରୋଧ କରି ନାହାନ୍ତି। ୨୦୨୩ରେ ଭାରତ ଦ୍ଵିତୀୟ ଥର ଅଲିମ୍ପିକ କମିଟି ବୈଠକର ଆୟୋଜନ କରିବ। କିନ୍ତୁ ଏଥର ଏହାର ଆୟୋଜନ ମୁମ୍ବାଇରେ ହେଉଥିବା ବେଳେ ପ୍ରଥମ ବୈଠକ ୧୯୮୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।
ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୩୯ତମ ବୈଠକରେ ଭାରତ ପକ୍ଷରୁ ଅଭିନବ ବିନ୍ଦ୍ରା, ନରିନ୍ଦର ବାତ୍ରା ଏବଂ ନୀତା ଅମ୍ବାନୀ ଯୋଗ ଦେଇଥିଲେ। ଅଭିନବ ଭାରତର ପ୍ରଥମ ଖେଳାଳି ଭାବେ ଅଲିମ୍ପିକରେ ବ୍ୟକ୍ତିଗତ ସ୍ଵର୍ଣ୍ଣ ପଦକ ଜିତିଥିଲେ। ବାତ୍ରା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ହୋଇଥିବା ବେଳେ ନୀତା ଅମ୍ବାନୀ ଭାରତୀୟ ଅଲିମ୍ପିକ ସମିତିର ସଦସ୍ୟ। ବୈଠକରେ ଦେଶର କ୍ରୀଡା ଏବଂ ଯୁବ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସାମିଲ୍ ଥିଲେ। ୨୦୨୩ରେ ମୁମ୍ବାଇର ଜିଓ ଓ୍ଵାର୍ଲ୍ଡ କନଭେନସନ ସେଣ୍ଟରରେ ଅଲିମ୍ପିକ କମିଟିର ବୈଠକ ଆୟୋଜିତ ହେବ।
ଆଇଓସିର ବାର୍ଷିକ ବୈଠକରେ ସମସ୍ତ ସଦସ୍ୟ ସାମିଲ୍ ହୋଇଥାନ୍ତି। ଏହା ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସବୁଠୁ ବଡ ବୈଠକ ହୋଇଥାଏ। ଏଥିରେ ନିଆଯାଉଥିବା ନିର୍ଣ୍ଣୟ ସର୍ବମାନ୍ୟ ହୋଇଥାଏ। ସାଧାରଣତଃ ଆଇଓସିର ବୈଠକ ବର୍ଷକରେ ଥରୁଟିଏ ହୋଇଥାଏ। ଆବଶ୍ୟକ ପଡିଲେ କମିଟିର ଅଧ୍ୟକ୍ଷ ଅତି କମରେ ଏକ ତୃତୀୟାଂଶ ସଦସ୍ୟଙ୍କୁ ଲିଖିତ ନିମନ୍ତ୍ରଣ ଦେଇ ବୈଠକ ଡକାଇ ପାରିବେ।
ଆଇଓସିର ମୋଟ୍ ସଦସ୍ୟ ସଂଖ୍ୟା ୧୦୧। ସମସ୍ତଙ୍କ ପାଖରେ ମତଦାନର ଅଧିକାର ରହିଛି। ଏହା ବ୍ୟତୀତ ୪୫ ମାନନୀୟ ଏବଂ ଜଣେ ସମ୍ମାନିତ ସଦସ୍ୟ ଥାଆନ୍ତି। ଏମାନଙ୍କ ପାଖରେ ମତଦାନର ଅଧିକାର ନଥାଏ। ଅଲିମ୍ପିକ କମିଟିରେ ୫୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡା ସଂଘର ଅଧ୍ୟକ୍ଷ ଏବଂ ସଚିବ ମଧ୍ୟ ସାମିଲ୍ ଥାଆନ୍ତି। ଗ୍ରୀଷ୍ମକାଳୀନ ଏବଂ ଶୀତକାଳୀନ ଅଲିମ୍ପିକର ସଦସ୍ୟ ମଧ୍ୟ ଏହି ବୈଠକରେ ଯୋଗ ଦେଇଥାଆନ୍ତି।