ବାଂଲାଦେଶ ରାଜଧାନୀ ଢାକାରେ ବିସ୍ଫୋରଣ, ୧୪ ମୃତ, ୧୦୦ରୁ ଅଧିକ ଆହତ
7/03/2023 at 8:10 PM

ଢାକା ୭।୩: ବାଂଲାଦେଶ ରାଜଧାନୀର ଢାକାର ଏକ ବିଲ୍ଡିଂରେ ମଙ୍ଗଳବାର ବିସ୍ପୋରଣ ହୋଇଛି। ଏହି ବିସ୍ଫୋରଣରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୧୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ବିସ୍ପୋରଣ ଗୁଲିସ୍ତାନ ଅଞ୍ଚଳର ଏକ ବହୁତଳ ଭବନରେ ହୋଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ବିସ୍ପୋରଣ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି।

ଆହତ ମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଛି ତାହା ଏକ ୭ ମହଲା ବିଲ୍ଡିଂ। ଏହାର ତଳ ମହଲାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ କାରଣ ସମ୍ପର୍କରେ ଜଣା ପଡି ନାହିଁ। ବିଲ୍ଡିଂରେ ସାନିଟାରୀ ପ୍ରଡକ୍ଟର କେତେକ ଷ୍ଟୋର ରହିଛି। ଏହାକୁ ଲାଗି ଏକ ବ୍ୟାଙ୍କର ବ୍ରାଞ୍ଚ ରହିଛି। ବିସ୍ପୋରଣ ଯୋଗୁ ବ୍ୟାଙ୍କର କାଚ ଝରକା ଭାଙ୍ଗି ଯାଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ବିଲ୍ଡିଂ ସମ୍ମୁଖ ସଡ଼କର ଅପରପାର୍ଶ୍ୱରେ ଥିବା ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖ ଦିନ ଚଟଗାଁ ସୀତାକୁଣ୍ଡର କଦମ ରସୁଲ (କେଶବପୁର) ଅଞ୍ଚଳରେ ଥିବା ଏକ ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣରେ ୩୩ ଜଣ ଆହତ ହୋଇଥିଲେ। ଘଟଣାର ୩ ଦିନ ନ ପୁରୁଣୁ ୭ ମାର୍ଚ୍ଚ ମଙ୍ଗଳବାର ରାଜଧାନୀର ଏକ ପ୍ରତିଷ୍ଠିତ ଅଞ୍ଚଳରେ ବିସ୍ଫୋରଣ ହୋଇଛି।