ହରିୟାଣା ହିଂସା: ଆଇନ ଶୃଙ୍ଖଳା ସୁଧୁରିଛି, ମନ ଭିତରଟା ଜଳୁଛି, ମୁସ୍ଲିମଙ୍କୁ ବୟକଟ୍ କଲେ ୧୪ ଗାଁ
7/08/2023 at 1:04 PM

ଚଣ୍ଡିଗଡ଼: ହରିୟାଣା ନୁହ ହିଂସା ପରେ ଆଇନ କାନୁନରେ ଧୀରେ ଧୀରେ ସୁଧାର ଆସୁଥିଲେ ବି ମନ ଭିତରେ ଜଳୁଥିବା ସାମ୍ପ୍ରଦାୟିକ ହିଂସାର ଅଗ୍ନି ଥମୁନି। ହରିଆଣାର ୩ ଜିଲ୍ଲାର ୧୪ଟି ଗାଁ ମୁସଲିମ୍ ସମ୍ପ୍ରଦାୟକୁ ବୟକଟ୍ କରିଛନ୍ତି। ଏନେଇ ସେମାନେ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଚିଠି ଲେଖି ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି।
ମହେନ୍ଦ୍ରଗଡ଼, ଝାଜ୍ଜର ଓ ରିୱେରୀର ହିନ୍ଦୁ ସମ୍ପ୍ରଦାୟର ଲୋକେ ମୁସ୍ଲିମଙ୍କୁ ବୟକଟ୍ କରିଥିବା ସୂଚନା ମିଳିଛି। ବିଶ୍ୱ ହିନ୍ଦୁ ପରିଷଦର ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣ କରିବା ପରେ ନୁହରେ ହିଂସାକାଣ୍ଡ ହୋଇଥିଲା। ଏହି ହିଂସାରେ ତିନି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ନୁହରେ ହିଂସା ଆରମ୍ଭ ହୋଇ ଅନ୍ୟ ଜିଲ୍ଲାକୁ ବ୍ୟାପିଥିଲା। ଏଥିରେ ଲୋକଙ୍କ ମନରେ ପରସ୍ପର ପ୍ରତି କ୍ରୋଧ ଓ ଘୃଣା ଥମି ନାହିଁ।
ପଢ଼ନ୍ତୁ-ମଣିପୁରରେ ପୁଣି ହିଂସା, ୧୫ ଘର ଜାଳିଦେଲେ ଦଙ୍ଗାକାରୀ
ମୁସ୍ଲିମ ସମ୍ପ୍ରଦାୟଙ୍କୁ ଘରଭଡ଼ା ନଦେବା, ଦୋକାନ ବଜାର ଭଡ଼ାରେ ନଦବାକୁ ଚିଠିରେ ନିବେଦନ କରାଯାଇଛି। ଗାଁ ଭିତରକୁ ପ୍ରବେଶ କରିବା ପୂର୍ବରୁ ବୁଲା ବିକାଳିଙ୍କ ପରିଚୟ ପତ୍ର ଭଲଭାବରେ ଯାଞ୍ଚ କରିବାକୁ ନିବେଦନ କରାଯାଇଛି। ପୂର୍ବରୁ ମଧ୍ୟ ଏଭଳି ଆବେଦନ କରାଯାଇଛି। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ବୟକଟ କରିବା ପାଇଁ ମଧ୍ୟ କୁହାଯାଇଛି। ତା ସହିତ ମୁସ୍ଲିମଙ୍କ ମାଂସ ଦୋକାନକୁ ବୟକଟ କରି ନିଜେ ମାଂସ ଦୋକାନ ଖୋଲିବାକୁ ଗୁରୁଗ୍ରାମ ମ୍ୟୁନିସିପାଲଟି କୋରପୋରେସନ ବ୍ରହ୍ମ ଯାଦବ କହିଛନ୍ତି।