ଇତିହାସ ରଚିଲେ ୧୩ ବର୍ଷୀୟ ୟଶ ଚାୱଡେ, ଜୁନିୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ହାସଲ କଲେ ଅପରାଜିତ ୫୦୮ ରନ

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ମୁମ୍ୱାଇ ଇଣ୍ଡିଆନ୍ସ ଜୁନିୟର ଇଣ୍ଟର-ସ୍କୁଲ(ଅଣ୍ଡର-୧୪) କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ୫୦୮ ରନ କରି ୧୩ ବର୍ଷୀୟ ୟଶ ଚାୱଡେ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ୟଶଙ୍କ ଏହି ପାଳିକୁ ନେଇ ସମସ୍ତେ ପ୍ରଂଶସା କରୁଛନ୍ତି । ୫୦୮ ରନର ପାଳିରେ ୟଶଙ୍କ ବ୍ୟାଟରୁ ୮୧ଟି ଚୌକା ଏବଂ ୧୮ଟି ଛକା ବାହାରିଥିଲା । ଏହାସହ ୟଶ ଚାୱଡେ ଭାରତୀୟ ମାଟିରେ ଖେଳାଯାଇଥିବା କୌଣସି ଇଣ୍ଟର-ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସୀମିତ ଓଭର ଫର୍ମାଟରେ ସବୁଠୁ ଅଧିକ ରନ ହାସଲ କରିଥିବା ଖେଳାଳି ହୋଇଛନ୍ତି ।

ୟଶ ଚାୱଡେଙ୍କ ୫୦୮ ରନ ବଳରେ ସରସ୍ୱତୀ ବିଦ୍ୟାଳୟର ଟିମ ନିର୍ଦ୍ଧାରିତ ୪୦ ଓଭରରେ ବିନା କୌଣସି ୱିକେଟ୍ ହରାଇ ୭୧୪ ରନର ବିଶାଳ ସ୍କୋର କରିଥିଲା । ୟଶଙ୍କ ସାଥୀ ଓପନର ତିଲକ ୱାକୋଡେ ୯୭ ବଲରୁ ୧୨୭ ରନ କରି ଏହି ରେକର୍ଡ ପାର୍ଟନରଶିପରେ ସହଭାଗୀ ହୋଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୭୧୫ର ଟାର୍ଗେଟକୁ ପିଛା କରି ବିପକ୍ଷ ଦଳ ସିଦ୍ଧେଶ୍ୱର ବିଦ୍ୟାଳୟ ଟିମ୍ ପାଞ୍ଚ ଓଭରରେ ମାତ୍ର ୯ ରନରେ ଅଲଆଉଟ୍ ହୋଇଥିଲା ।

wp:html
/wp:html

ସୀମିତ ଓଭର କ୍ରିକେଟରେ ୫୦୦ରୁ ଅଧିକ ରନ କରିବାରେ ୟଶ ଚାୱଡେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ଶ୍ରୀଲଙ୍କାର ଚିରାଥ ସେଲେପେରୁମା ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ସେଲେପେରୁମା ୨୦୨୨ ଅଗଷ୍ଟରେ ଅଣ୍ଡର ୧୫ ଇଣ୍ଟର-ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ୫୫୩ ରନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.