ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ର ବିଶ୍ଵ ବିଜୟୀ ହୋଇଛି ଇଂଲଣ୍ଡ। ପାକିସ୍ତାନକୁ ୫ ଓ୍ଵିକେଟ୍ରେ ହରାଇ ଦ୍ଵିତୀୟ ଥର ଜିତିପାରିଛି ଟି-୨୦ ଟାଇଟଲ୍। ଚାମ୍ପିଅନ ଦଳ ଇଂଲଣ୍ଡକୁ ୧.୬ ମିଲିୟନ ଡଲାର(ପ୍ରାୟ ୧୩.୯୫ କୋଟି ଟଙ୍କା) ମିଳିଛି। ଉପ ବିଜେତା ପାକିସ୍ତାନକୁ ପାଖାପାଖି ୬ କୋଟି ୫୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଏହା ବାଦ୍ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ଆଇସିସି ଟଙ୍କା ବର୍ଷା କରିଛି। ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟଠୁ ନେଇ ପ୍ରତିଟି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମିଳିଛି ଭଲ ପୁରସ୍କାର ରାଶି।
ଚଳିତ ଟି-୨୦ ବିଶ୍ଵ କପ୍ ପାଇଁ ମୋଟ୍ ୫.୬ ମିଲିୟନ ଡଲାରର ପୁରସ୍କାର ରାଶି ରଖାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହି ରାଶି ପ୍ରାୟ ୪୫.୬୭ କୋଟି ଟଙ୍କା ହେବ। ପ୍ରଥମ ରାଉଣ୍ଡରେ ବାଦ୍ ପଡିଥିବା ଦଳକୁ ପ୍ରାୟ ୩୨ ଲକ୍ଷ ୬୩ ହଜାର ଟଙ୍କା ମିଳିବ। ଏହି ଅର୍ଥ ପାଇବେ ନାମିବ୍ୟା, ୟୁଏଇ, ଓ୍ଵେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ଦଳ।
ଭାରତକୁ ମିଳିବ ୪ କୋଟି ୫୬ ଲକ୍ଷ
ସେମି ଫାଇନାଲ୍ରେ ପରାଜିତ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳକୁ ପ୍ରାୟ ୩ କୋଟି ୬୦ ଲକ୍ଷ ଟଙ୍କା ମିଳିଛି। ତେବେ ଭାରତୀୟ ଦଳକୁ ଚଳିତ ବିଶ୍ଵ କପ୍ରେ ୪ କୋଟି ୫୬ ଲକ୍ଷ ଟଙ୍କା ମିଳିଚି। ପ୍ରଥମତଃ ଭାରତ ସେମି ଫାଇନାଲ୍ରେ ପହଞ୍ଚିଥିଲା। ଏଥିପାଇଁ ଭାରତକୁ ୩ କୋଟି ୬୦ ଲକ୍ଷ ଟଙ୍କା ମିଳିଛି। ଏଥିସହ ସୁପର-୧୨ ରାଉଣ୍ଡରେ ଦଳ ଚାରୋଟି ମ୍ୟାଚ୍ ଜିତିଛି। ପ୍ରତିଟି ମ୍ୟାଚ୍ ଜିତିବା ପିଛା ଭାରତକୁ ୩୨ ଲକ୍ଷ ୬୨ ହଜାର ଟଙ୍କା ମିଳିଛି। ଏହାକୁ ମିଶାଇ ଭାରତ ମୋଟ୍ ୪ କୋଟି ୫୬ ଲକ୍ଷ ଟଙ୍କା ଜିତି ପାରିଛି।
ସୁପର-୧୨ରେ ବାଦ୍ ପଡିଥିବା ଦଳକୁ ମିଳିବ ୫୭ ଲକ୍ଷ
ସୁପର-୧୨ ପର୍ଯ୍ୟାୟରେ ବାଦ୍ ପଡିଥିବା ଆଠଟି ଦଳକୁ ପ୍ରାୟ ୫୭ ଲକ୍ଷ ୮ ହଜାର ଟଙ୍କା ମିଳିବ। ଏହି ଆଠ ଦଳ ହେଉଛନ୍ତି ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆୟରଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ ଏବଂ ଜିମ୍ବାଓ୍ଵେ।
ଟି-୨୦ ବିଶ୍ଵ କପ୍ ୨୦୨୨ର ପୁରସ୍କାର ରାଶି
ବିଜେତା- ୧୩.୯୫ କୋଟି ଟଙ୍କା
ଉପ ବିଜେତା– ୬.୫୨ କୋଟି ଟଙ୍କା
ସେମି ଫାଇନାଲ୍ରେ ପରାଜିତ ଦଳ– ୩.୬୦ କୋଟି ଟଙ୍କା
ସୁପର ୧୨ରେ ପ୍ରତ୍ୟେକ ମ୍ୟାଚ୍ ଜିତିଥିବା ଥିବା ଦଳ– ୩୨.୬୨ ଲକ୍ଷ ଟଙ୍କା
ସୁପର ୧୨ରୁ ବାଦ୍ ପଡିଥିବା ପ୍ରତ୍ୟେକ ଦଳ– ୫୭.୦୯ ଲକ୍ଷ ଟଙ୍କା
ପ୍ରଥମ ରାଉଣ୍ଡରୁ ବାଦ୍ ପଡିଥିବା ଦଳ– ୩୩.୬୨ ଲକ୍ଷ ଟଙ୍କା