ଦିଗବିଜୟ ସିଂହଙ୍କ ଦୃଢୋକ୍ତି- ୨୨ ବିଦ୍ରୋହୀଙ୍କ ମଧ୍ୟରୁ କଂଗ୍ରେସ ଛାଡି ନାହାନ୍ତି ୧୩ ବିଧାୟକ

Published By : Prameya-News7 Bureau | March 11, 2020 IST

ଭୋପାଳ ୧୧।୦୩ : ମଧ୍ୟ ପ୍ରଦେଶରେ ସରକାର ଗଠନ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ କସରତ ଜାରି ରହିଛି। ଘୋଡା ବେପାରକୁ ଆଶଙ୍କା କରି ବିଜେପି ନିଜର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ପଠାଇଥିବା ବେଳେ କଂଗ୍ରେସ ନିଜର ବିଧାୟକଙ୍କୁ ରାଜସ୍ଥାନ ପଠାଇବାକୁ ପ୍ରସ୍ତୁତି କରୁଛି। ଏହା ମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୩ ଜଣ ବିଧାୟକ କଂଗ୍ରେସ ଛାଡି ନାହାନ୍ତି। ଏହା ସହିତ ଦିଗବିଜୟ ବିଧାନସଭାରେ ତାଙ୍କ ଦଳ ଆସ୍ଥା  ଭୋଟରେ ବିଜୟୀ  ହେବ ବୋଲି ମଧ୍ୟ ସେ କହିଛନ୍ତି।

ଆମେ ଶାନ୍ତ ହୋଇ ବସିବୁ ନାହିଁ। ଆମେ ଏମିତି ସମୟରେ ଶୋଇ ରହିବୁ ନାହିଁ ବୋଲି ଦିଗବିଜୟ ସିଂହ ପିଟିଆଇକୁ କହିଛନ୍ତି। ଗତକାଲି କଂଗ୍ରେସର ପୁରୁଖା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ସମର୍ଥକ ୨୨ ବିଧାୟକଙ୍କ ସହିତ ଦଳରୁ ଇସ୍ତଫା ଦେଇଥିଲେ। ବିଜେପି ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ହସ୍ତାନ୍ତର କରିଥିଲେ।

ସିନ୍ଧିଆ ନିଜର ସମର୍ଥକ ବିଧାୟକଙ୍କ ସହିତ ଦଳ ଛାଡିବା ପରେ ରାଜ୍ୟରେ କମଲନାଥ ସରକାର ଟଳମଳ ସ୍ଥିତିରେ ରହିଛି। ରାଜ୍ୟରେ କଂଗ୍ରେସ ସରକାରର ଅନିଶ୍ଚିତତା ଉପରେ ଦିଗବିଜୟ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଚାରି ଥରର ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା କେହି ଆଶା କରିନଥିଲେ।

ଦିଗବିଜୟ କହିଛନ୍ତି ଯେ, ସିନ୍ଧିଆଙ୍କୁ ମଧ୍ୟ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଯଚା ଯାଇଥିଲା। ମାତ୍ର କମଲନାଥ ଏମିତି ଚାହୁଁନଥିଲେ।  ସିନ୍ଧିଆ ରାଜ୍ୟସଭା ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ପାରିଥାନ୍ତେ। ଅତିବେଶୀ ହେଲେ ମୋଦୀ-ଶାହା ଅତି ମହତ୍ଵାକାଂକ୍ଷୀ ସିନ୍ଧିଆଙ୍କୁ କ୍ୟାବିନେଟ୍ ପଦ ଦେଇ ପାରନ୍ତି।

ଦିଗବିଜୟ ଆରୋପ ଲଗାଇଛନ୍ତି ଯେ, ଶିବରାଜ ସିଂହ ଚୌହାନ ରାଜ୍ୟରେ କମଲନାଥ ସରକାରକୁ ଭାଙ୍ଗିବାରେ ବିଫଳ ହେବା ପରେ ସିନ୍ଧିଆଙ୍କ ଏଥିପାଇଁ ମୋହରା କରାଯାଇଛି। କଂଗ୍ରେସ ବିଧାୟକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ କିଣା ଯାଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସିନ୍ଧିଆ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି। ବିଧାୟକଙ୍କ  ଦଳ ଛାଡିବା ପୂର୍ବରୁ ବିଧାନସଭାରେ କଂଗ୍ରେସ ପକ୍ଷରେ ୨୨୧ ବିଧାୟକଙ୍କ  ସମର୍ଥନ ରହିଥିଲା। ସେଥିରୁ କଂଗ୍ରେସର ଥିଲେ ୧୧୪ ବିଧାୟକ। ଚାରି ଜଣ ନିର୍ଦ୍ଦଳୀୟ, ଦୁଇ ଜଣ ବିଏସପି ବିଧାୟକ, ଜଣେ ସମାଜବାଦ ପାର୍ଟିର ବିଧାୟକ ଥିଲେ।

ଯଦି ୨୨ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନିଆଯାଏ। ତେବେ ଗୃହରେ ସଦସ୍ୟ ସଂଖ୍ୟା ୨୦୬କୁ ଖସିଯିବ। ଏମିତି ହେଲେ କଂଗ୍ରେସ ହାତରୁ କ୍ଷମତା ଚାଲିଯିବ। କାରଣ କଂଗ୍ରେସର ସଦସ୍ୟ ସଂଖ୍ୟା ୯୨କୁ ହ୍ରାସ ପାଇବେ। ଅନ୍ୟ ପଟେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି ଏବଂ ଗୃହରେ  ମ୍ୟାଜିକ୍ ନମ୍ବର ୧୦୪ ରହିବ। ଏମିତି ସ୍ଥିତିରେ ବିଜେପି ସହଜରେ ସରକାର ଗଠନ କରି ନେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.