୧୩ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ, ଗାଁରେ କୋକୁଆ ଭୟ
15/12/2022 at 10:28 PM

କୋରାପୁଟ ୧୫/୧୨: ବୋରିଗୁମ୍ମାରେ ଶିଶୁ ମୃତ୍ୟୁକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । ଗତ ୧୩ ଦିନରେ ଗଲାଣି ୮ ନବଜାତ ଶିଶୁଙ୍କ ଜୀବନ। ଯାହାକୁ ଗାଁରେ ସୃଷ୍ଟ ହୋଇଛି କୋକୁଆ ଭୟ। ତେବେ ଶିଶୁ ମୃତ୍ୟୁ ରୋକିବାକୁ ଗାଁ ରେ ଡାକ୍ତରୀ ଦଳ ପହଁଚି ସମୀକ୍ଷା କରିଛି। ସଚେତନତା ଅଭାବରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତରୀ ଦଳ କହିଥିବା ବେଳେ ଶିଶୁ ମୃତ୍ୟୁ ରୋକିବାକୁ ହୋଇଛି ପ୍ରୟାସ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ କିଭଳି ହେଉଛି ନବଜାତ ଶିଶୁଙ୍କ ମୃତ୍ୟୁ କାରଣ ଖୋଜିବା ପାଇଁ ଗାଁ ରେ ପହଂଚିଲା ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଶେଷଜ୍ଞ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚାରି ଜଣିଆ ଟିମ୍ ରେଙ୍ଗାଳିଗୁଡା, ନୂଆଗୁଡା, ନାରୀଗାଁ ରେ ପହଂଚି ମୃତ ଶିଶୁଙ୍କ କିପରି ଅବସ୍ଥାରେ ମୃତ୍ୟୁ ଘଟିଛି ଜାଣିବା ପାଇଁ ଚେଷ୍ଟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ସଚେତନତା ଅଭାବରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଗାଁ ରେ ପହଂଚି ଡାକ୍ତରୀ ଦଳ ଲୋକଙ୍କୁ ସଚେତନ କରାଇବା ସହ ଶିଶୁ ମୃତ୍ୟୁ ରୋକିବାକୁ ପ୍ରୟାସ ଆରମ୍ଭ କରିଛି ।
ଅଧିକାଂଶ ଶିଶୁ ମୃତକଙ୍କ ମଧ୍ୟରେ ନବଜାତ ଶିଶୁ ରହିଛନ୍ତି । ଜନ୍ମ ହେବାର ପ୍ରଥମ ଦିନରୁ ୧୫ ଦିନ ମଧ୍ୟରେ ଏହି ନବଜାତକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ ରହିଛି । କେଉଁ ଶିଶୁର ଓଜନ ୭୫୦ କିଲୋଗ୍ରାମ ତ କାହାର ୧୨୦୦ କିଲୋଗ୍ରାମ ରହିଥବା ଜଣାପଡ଼ିଛି। ତେଣୁ ନବଜାତକଙ୍କୁ ତୁରନ୍ତ ଡାକ୍ତରଖାନା ଆଣିବାକୁ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବାକୁ କହିଛନ୍ତି ଡାକ୍ତର। ସେପଟେ ଶିଶୁ ମୃତ୍ୟୁକୁ ନେଇ ଆତଙ୍କିତ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ମେଡିକାଲ ଟିମ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବୋରିଗୁମ୍ମା ସମେତ କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ଦେଖାଯାଉଥିଲା। କିନ୍ତୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପରେ ଏଭଳି ଶିଶୁ ମୃତ୍ୟୁ ହାର ହ୍ରାସ ପାଇଥିଲା। କିନ୍ତୁ କିଭଳି ଏବଂ କେଉଁ ପରିସ୍ଥିତିରେ ଗତ ୧୩ ଦିନ ମଧ୍ୟରେ ୮ ଶିଶୁଙ୍କ ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ମୃତକଙ୍କ ପରିବାର ଲୋକ ଚିନ୍ତାରେ ନୁହେଁ ବରଂ ଗର୍ଭବତୀ ମାଆମାନେ ମଧ୍ୟ ପ୍ରସବକୁ ନେଇ ଚିନ୍ତାରେ ।
କାରଣ ଯାହା ହେଉ ନା କାହିଁକି ବୋରିଗୁମ୍ମା ରେ ନବଜାତ ଶିଶୁ ମୃତ୍ୟୁ ନିଶ୍ଚିତ ଭାବେ ଚିନ୍ତାଜନକ ତେଣୁ ଆଗକୁ ଆଉ ଶିଶୁ ମୃତ୍ୟୁ କିଭଳି ନହେବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ଆହୁରି ଅଧିକ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ରହିଛି।