ବାଂଲାଦେଶ ରୋହିଙ୍ଗିଆ ଶରଣାର୍ଥୀ କ୍ୟାମ୍ପରେ ଅଗ୍ନିକାଣ୍ଡ; ଜଳିଗଲା ୨ ହଜାର ଟେଣ୍ଟ, ୧୨ ହଜାର ଲୋକେ ବାସହରା
6/03/2023 at 9:49 AM

ନୂଆଦିଲ୍ଲୀ: ବାଂଲାଦେଶର ଦକ୍ଷିଣାଞ୍ଚଳରେ ଶରଣ ନେଇଥିବା ରୋହିଙ୍ଗିଆ ଶରଣାର୍ଥୀଙ୍କ କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡରେ ୨ ହଜାର ଅସ୍ଥାୟୀ ଘର ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୨ ହଜାର ଲୋକ ବାସହୀନ ହୋଇଛନ୍ତି। ବାଂଲାଦେଶ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।

ବିଶ୍ୱର ଏକ ବୃହତ ଶରଣାର୍ଥୀ କ୍ୟାମ୍ପ କୁହାଯାଉଥିବା ବାଂଲାଦେଶର କୁତୁପାଲଙ୍ଗ କ୍ୟାମ୍ପରେ ଗତକାଲି ରାତି ୨.୪୫ ମିନିଟ ସମୟରେ ନିଆଁ ଲାଗିଥିଲା। ଏହି ନିଆଁ ଗୋଟିଏ ପରେ ଗୋଟିଏ କ୍ୟାମ୍ପକୁ ମାଡ଼ିଯାଇଥିଲା। କ୍ୟାମ୍ପଗୁଡ଼ିକ ବାଉଁସ ଓ ତାର୍ପୋଲିନ୍ରେ ହୋଇଥିବାରୁ ନିଆଁ ଖୁବ୍ଶୀଗ୍ର ବ୍ୟାପୀ ଯାଇଥିଲା ବୋଲି ବାଂଲାଦେଶ ଶରଣାର୍ଥୀ କମିଶନର ମିଜାନୁର ରେହମାନ କହିଛନ୍ତି। ଏଥିରେ ୨ ହଜାର କ୍ୟାମ୍ପ ଜଳିଯାଇଥିବା ବେଳେ ୧୨ ହଜାର ଲୋକ ବାସହୀନ ହୋଇଛନ୍ତି ବୋଲି ମିଜାନୁର ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇଥିବା ସୂଚନା ନାହିଁ ବୋଲି ଶରଣାର୍ଥୀ କମିଶନର ସୂଚନା ଦେଇଛନ୍ତି।

ନିଆଁ ଲାଗିବାର ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଘଟଣାର ତଦନ୍ତ ପାଇଁ ବାଂଲାଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରୋହିଙ୍ଗିଆ କ୍ୟାମ୍ପରେ ନିଆଁ ଲାଗିବା ସାଧାରଣ କଥା ହୋଇଗଲାଣି। ପୂର୍ବରୁ ମଧ୍ୟ ଅନେକ ଥର କ୍ୟାମ୍ପରେ ନିଆଁ ଲାଗିଛି।
ମିଆଁମାରରୁ ବିତାଡ଼ିତ ହେବା ପରେ ବାଂଲାଦେଶର ଲକ୍ଷାଧିକ ଶରଣାର୍ଥୀ ସେଠାରେ ଆଶ୍ରୟ ନେଇଛନ୍ତି। ପ୍ରାୟ ଏକ ମିଲିୟନ ଲୋକ ସେଠାରେ ଶରଣ ନେଇଛନ୍ତି। ୨୦୧୭ରେ ମିଆଁମାରର ରଖିନେ ରାଜ୍ୟରେ ଦେଶର ସେନା ଚଢ଼ାଉ କରିଥିଲା। ଫଳରେ ରୋହିଙ୍ଗିଆ ଶରଣାର୍ଥୀମାନେ ଦେଶ ଛାଡ଼ି ପଳାଇ ଆସିଥିଲା।

ସୂଚନା ଥାଉକି ବାଂଲାଦେଶ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୧ ଜାନୁଆରୀରୁ ୨୦୨୨ ଡିସେମ୍ବରରେ ବାଂଲାଦେଶର ରୋହିଙ୍ଗିଆ କ୍ୟାମ୍ପରେ ୨୨୨ ଅଗ୍ନିକାଣ୍ଡ ଘଟିଛି ଲାଗିଛି। ୬୦ଟି ଅଗ୍ନି ବ୍ୟାପିବା ମାମଲା ରେକର୍ଡ କରାଯାଇଛି। ୨୦୨୧ ମାର୍ଚ୍ଚ ମାସରେ ରୋହିଙ୍ଗିଆ କ୍ୟାମ୍ପରେ ଭୟଙ୍କର ନିଆଁ ଲାଗିଥିଲା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ହଜାରଙ୍କୁ ସ୍ଥାନାନ୍ତର କରାଯାଇଥିଲା