ହୃଦ୍‌ଘାତରେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ: ସ୍କୁଲ୍‌ ବସ୍‌ରେ ବସିଥିବା ବେଳେ ଚେତାଶୂନ୍ୟ ହୋଇ ଟଳିପଡ଼ିଲେ, ଡାକ୍ତର କହିଲେ- ଚିନ୍ତାର ବିଷୟ

Published By : Prameya-News7 Bureau | December 16, 2022 IST

ଭୋପାଳ: ଏବେ ଆଉ ବୟସ୍କ ନୁହେଁ ପିଲାମାନଙ୍କୁ ଆଟାକ କଲାଣି ହାର୍ଟଆଟାକ୍‌। ମଧ୍ୟପ୍ରଦେଶରେ ଏକ ୧୨ ବର୍ଷୀୟ ସ୍କୁଲ୍‌ଛାତ୍ରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଡାକ୍ତର। ଏହା କରୋନାର ପ୍ରଭାବ ହୋଇପାରେ ବୋଲି ଡାକ୍ତରମାନେ କହୁଛନ୍ତି।

ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଭିଣ୍ଡର ଜାମନା ରୋଡ୍‌ରେ ରହୁଥିବା ୧୨ ବର୍ଷୀୟ ଚତୁର୍ଥ ଶ୍ରେଣୀ ଛାତ୍ର ମନୀଷ ଜାଟବ ଇଟାୱା ରୋଡ୍‌ ସ୍ଥିତ ଏକ ଘରୋଇ ସ୍କୁଲ୍‌କୁ ପଢ଼ିବାକୁ ଯାଇଥିଲେ। ସ୍କୁଲ୍ ଛୁଟି ହେବା ପରେ ସ୍କୁଲ୍‌ ବସ୍‌ରେ ଉଠି ସିଟ୍‌ରେ ବସିଥିଲେ। ହେଲେ ସିଟ୍‌ରେ ବସିଥିବା ବେଳେ ସେ ହଠାତ୍ ବେହୋସ୍ ହୋଇ ତଳେ ପଡ଼ିଗଲେ। ପରେ ବସ୍‌ ଡ୍ରାଇଭର ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ସ୍କୁଲ୍ ଷ୍ଟାଫ୍‌ ଓ ଅନ୍ୟମାନେ ମିଶି ମନୀଷଙ୍କୁ ହୋସ୍‌ରେ ଆଣିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ବିଫଳ ହେବାରୁ ତାଙ୍କ ପରିବାର ଖବର ଦିଆଯାଇଥିଲା। ଏହାପରେ ତୁରନ୍ତ ମନୀଷକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଘଟଣା ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ହସ୍‌ପିଟାଲ୍‌ର ସିଭିଲ ସର୍ଜନ ଡାକ୍ତର ଅନୀଲ ଗୋୟଲ କହିଛନ୍ତି ଯେ ହୃଦ୍‌ଘାତ ଜନିତ ସମସ୍ୟାରୁ ହଠାତ୍ ଏଭଳି ଘଟଣା ଘଟୁଛି। ମନୀଷଙ୍କ କ୍ଷେତ୍ରରେ ଯେଉଁ ଲକ୍ଷଣ ସବୁ କୁହାଯାଇଛି ତାଙ୍କୁ ହୃଦ୍‌ଘାତ ହୋଇଥିବା ଆଶଙ୍କା କରାଯାଉଛି।

ଏତେ କମ୍ ବୟସରେ ପିଲାଙ୍କ ଠାରୁ ହୃଦ୍‌ଘାତ ହେବା ନେଇ ଶ୍ରୀ ଗୋୟଲ କହିଛନ୍ତି ଯେ କରୋନା ପରେ ଏଭଳି ସମସ୍ୟା ଉପୁଜିଛି। ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନା ପ୍ରଭାବରୁ ଲୋକଙ୍କ ଠାରେ ହୃଦୟ ଓ ମାଂସପେଷୀ ଜନିତ ସମସ୍ୟା ଦେଖାଯାଉଛି। ଫଳରେ ହୃଦଘାତ ଆଶଙ୍କା ବହୁତ ଅଧିକ ବଢ଼ିଯାଇଛି।

ତେବେ ସୂଚନା ଅନୁସାରେ ମନୀଷଙ୍କ ପରିବାର ଶବବ୍ୟବଚ୍ଛେଦ କରାଇ ନାହାନ୍ତି। ତେଣୁ ପ୍ରକୃତ କାରଣ ଏବେ ବି ସନ୍ଦେହରେ ରହିଛି। ହେଲେ ଏକ ଡାକ୍ତରୀ ଟିମ୍‌ ମୃତ ମନୀଷଙ୍କ ଘରକୁ ଯାଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ କରିବ ବୋଲି ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.