ମୋବାଇଲ ଗେମର ଷ୍ଟେଜ ପାରି କରିବା ପାଇଁ ୧୨ବର୍ଷ ବାଳକର ଆତ୍ମହତ୍ୟା!

Published By : Prameya-News7 Bureau | June 20, 2019 IST

କୋଟା ୨୦/୬: ରାଜସ୍ଥାନର କୋଟାରେ ୧୨ବର୍ଷର ବାଳକ କୁଶାଲ ମୋବାଇଲ୍ ଗେମ୍ ଖେଳିବାବେଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ କୁଶାଲ ଚୁଡ଼ି ଏବଂ ମଙ୍ଗଲସୂତ୍ର ମଧ୍ୟ ପିନ୍ଧିଥିଲେ। ପରିବାର ଲୋକେ ପୋଲିସଙ୍କୁ କହିଥିଲେ ଯେ ସେମାନେ ପୂର୍ବରୁ କେବେ କୁଶାଲ ଏସବୁ ଜିନିଷ ପିନ୍ଧିବାର ଦେଖିନଥିଲେ। କୁହାଯାଉଛି ଯେ ସେ ବ୍ଲୁ ଗେମ୍ ଭଳି କିଛି ଗେମ୍ ଖେଳୁଥିଲେ ଏବଂ ଏହି ଗେମର ଷ୍ଟେଜ ପାରି କରିବା ପାଇଁ ସେ ନିଜ ଜୀବନ ହାରି ଦେଇଥିଲେ।
ପୋଲିସ୍ ଏହି ତଥ୍ୟ ବିଷୟରେ ଏଯାଏଁ ଅବଗତ ହୋଇନାହିଁ। ତାଙ୍କ କହିବାନୁସାରେ ବାଳକ ଜଣକ ଗେମ୍ ଖେଳୁଥିଲେ କିନ୍ତୁ କେଉଁ ଗେମ୍ ଖେଳୁଥିଲେ ତାହା ଏଯାଏଁ ଜଣାପଡ଼ିନାହିଁ। ଯାଞ୍ଚରୁ ଜଣାପଡ଼ିବ ଯେ ସେ କେଉଁ ଗେମ୍ ଖେଳୁଥିଲେ ଏବଂ କ’ଣ ଷ୍ଟେଜ ପାରି କରିବା ପାଇଁ ସେ ସୁଇସାଇଡ କରିଥିଲେ କି ନାହିଁ। ଏପରି ମାମଲା କୋଟାରେ ପ୍ରଥମ ଥର ଆସିଛି। ଦେଶସାରା ଏପରି ଅନେକ ମାମଲା ଆସିସାରିଛି। ବିଜ୍ଞାନ ନଗରର ବାସିନ୍ଦା ଫତେହଚନ୍ଦ୍ରଙ୍କ ୧୨ବର୍ଷ ବୟସର ପୁତ୍ର କୁଶାଲଙ୍କ ସ୍କୁଲରେ ଛୁଟି ଚାଲିଥିଲା। ସେ ଦିନସାରା ମୋବାଇଲରେ ଗେମ୍ ଖେଳୁଥିଲେ।
ସୋମବାର ରାତିରେ ମଧ୍ୟ ସେ ମୋବାଇଲରେ ଗେମ୍ ଖେଳୁଥିଲେ। ସୋମବାର ପରିବାର ଲୋକେ ତାଙ୍କ ମନପସନ୍ଦର ଖାଇବା ଆଳୁ ପରଟା କରିଥିଲେ। ଖାଇସାରି କୁଶାଲ ତାଙ୍କ ରୁମକୁ ଶୋଇବାକୁ ଚାଲିଯାଇଥିଲେ। ପରିବାର ଲୋକେ ମଧ୍ୟ ଶୋଇପଡ଼ିଥିଲେ। ମଙ୍ଗଳବାର ସକାଳେ କୁଶାଲ ତଳକୁ ନଆସିବାରୁ ପରିବାର ଲୋକେ ତାଙ୍କ ରୁମକୁ ଯାଇଥିଲେ। କୁଶାଲ ତାଙ୍କ ରୁମରେ ନଥିଲେ।ପରିବାର ଲୋକେ କୋଜୁ ଖୋଜୁ ଦେଖିଥିଲେ ଯେ ତାଙ୍କ ଶୈାଚାଳୟର କବାଟ ଭିତରୁ ବନ୍ଦ ଥିଲା। କିନ୍ତୁ ସେମାନେ ତାଙ୍କୁ ଡାକିବାରୁ କିଛି ଉତ୍ତର ମିଳୁନଥିଲା। ପରିବାର ଲୋକେ କବାଟ ଭାଙ୍ଗିବାରୁ କୁଶାଲ ଫାଶୀ ଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ମିଳିଥିଲେ।
କୂଶାଲଙ୍କୁ ଫାଶୀଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲେକେ ଡରିଯାଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଘରୋଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷିତ କରିଥିଲେ। ସୂଚନା ପାଇ ପୋଲିସ କୁଶାଲଙ୍କ ଶବକୁ ଏବିଏସ୍ ହସ୍ପିଟାଲ ପହଞ୍ଚାଇଥିଲେ। ଏଠାରେ ପୋଷ୍ଟମର୍ଟମ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.