ରୟାଲ୍‌ ଲାଇଫ୍‌ ଷ୍ଟାଇଲ୍‌ ପାଇଁ କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା ? ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲିବ ଭିଜିଲାନ୍ସ ଏସଆଇଟି, ଜାରି ରହିଛି ଚଢ଼ଉ

Published By : Prameya-News7 Bureau | December 01, 2020 IST

ଭୁବନେଶ୍ୱର ୦୧/୧୨ :  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । ଆଜି ଅଭୟ ପାଠକଙ୍କ ବାସଭବନ ସମେତ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ ଏସଆଇଟିର ୧୨ଟି ଟିମ୍‌ । ଅଭୟଙ୍କ ଡ୍ରାଇଭର ଏବଂ ପୁତୁରାଙ୍କ ସମେତ ୫ଟି ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଅଭୟକାନ୍ତଙ୍କ ପାଖକୁ କେଉଁଠୁ ଆସୁଥିବା ପୁଳା ପୁଳା ଟଙ୍କା ?  ତାଙ୍କର ରୋଜଗାରର ମାଧ୍ୟମ କ’ଣ ଥିଲା ? ସେସବୁର ଖୋଳତାଡ଼ କରୁଛି ଏସଆଇଟି ।

{"id":370956,"sizeSlug":"large"}

ଖୋଲିବ ଅଭୟ ପାଠକଙ୍କ ଅମାପ ସମ୍ପତ୍ତିର ଗୁମର । ବାବୁଙ୍କ ରୟାଲ୍‌ ଲାଇଫ୍‌ ଷ୍ଟାଇଲ୍‌ ପାଇଁ କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା ? ଦରମା ବାଦ୍‌ କ’ଣ ଥିଲା ଏହି ଆଇଏଫ୍‌ଏସ୍‌ ଅଫିସରଙ୍କ ରୋଜଗାରର ମାଧ୍ୟମ ?  ସେସବୁର ଖୋଳତାଡ଼ ପାଇଁ ଆଜି ଅଭୟଙ୍କ ବାସ ଭବନ ସମତେ ୭ଟି ଠିକଣା ଉପରେ ଛାପା ମାରିଛି ଭିଜିଲାନ୍‌ସ ଏସଆଇଟିର ୧୨ଟି ଟିମ୍‌ । ଭୁବନେଶ୍ବର-ବ୍ରହ୍ମପୁର- ସମ୍ବଲପୁର-ବଲାଙ୍ଗିର-ଅନୁଗୋଳ ସବୁଠି ଚାଲିଛି ରେଡ୍‌ । ଭୁବନେଶ୍ବରରେ ଥିବା ଅଭୟଙ୍କ ବାସଭବନ ସମେତ ଅଫିସ ଉପରେ ପୁଣି ଥରେ ଚଢ଼ଉ ହୋଇଛି । ଏଥି ସହ ଅଭୟଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆଜି ଜେରା କରିଛି ଭିଜିଲାନ୍ସ ଟିମ୍‌ । ପ୍ରଥମ ପର୍ଯ୍ୟାୟ ଚଢ଼ଉ ବେଳେ ଅଭୟଙ୍କ ଡ୍ରାଇଭରଙ୍କ ଘରୁ ମିଳିଥିବା  ୨୦ଲକ୍ଷ ଟଙ୍କା କାହାର ସେ ସମ୍ପର୍କରେ ଜାଣିବାକୁ ଚାହିଁଛି ତଦନ୍ତକାରୀ ଟିମ୍‌ । କେବଳ ସେତିକି ନୋଟିସ ପାଇ ଭିଜିଲାନ୍ସ ସେଲ୍‌ରେ ହାଜର ହୋଇଥିବା  ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଇଛି । ସେହିଭଳି ଭୁବନେଶ୍ବର ଘାଟିକିଆରେ ରହୁଥିବା ଅଭୟଙ୍କ ପୁତୁରା ଡାକ୍ତର ହର୍ଷ ପାଠକଙ୍କ ଘରୁ ପୂର୍ବରୁ ୫୦ଲକ୍ଷ ଟଙ୍କା ଜବତ କରିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମଧ୍ୟ ପଚରା ଉଚରା ପାଇଁ ନୋଟିସ କରିଥିବା ଜଣାପଡ଼ିଛି । 

{"id":370957,"sizeSlug":"large"}

କେବଳ ଭୁବନେଶ୍ବରରେ ଥିବା ଅରଣ୍ୟ ଭବନ ନୁହେଁ ବ୍ରହ୍ମପୁରରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟ ସମେତ ବିଭିନ୍ନ ଅଫିସରେ ଚଢ଼ଉ କରିଛି ଭିଜିଲାନ୍ସ ଏସଆଇଟିର ୩ଜଣିଆ ଟିମ୍‌ । ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ଅଭୟକାନ୍ତ ପାଠକ ବ୍ରହ୍ମପୁର ଡିଏଫ୍‌ଓ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି । ସେହି ସମୟରେ କ’ଣ ସବୁ ଦୁର୍ନୀତି ହୋଇଛି ତା’ର ଖୋଳତାଡ଼ କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

{"id":370958,"sizeSlug":"large"}

୨୦୧୬-୧୭ରେ ବଲାଙ୍ଗିରରେ କେନ୍ଦୁଲିଫ୍‌ ବିଭାଗର ସିସିଏଫ୍‌ ଦାୟିତ୍ବରେ ଥିଲେ ଆଇଏଫଏସ୍‌ ଅଭୟକାନ୍ତ ପାଠକ । ଏହି ସମୟରେ ଅଭୟଙ୍କ ଆର୍ଥିକ କାରବାରର ଲିଙ୍କ୍‌ ଖୋଜିବାକୁ ବଲାଙ୍ଗିରରେ ରେଡ୍‌ କରିଛନ୍ତି ଏସଆଇଟି ଅଧିକାରୀ । ସେହିଭଳି ସମ୍ବଲପୁର, ଅନୁଗୋଳ ସବୁଠି କାର୍ଯ୍ୟକରିଥିବା ଅଭୟକାନ୍ତଙ୍କ ଦୁର୍ନୀତିର ଖି୍ଅ ଖୋଜିବାରେ ଲାଗିଛି ତଦନ୍ତକାରୀ ଟିମ୍‌ । ଏହାର ପୂର୍ବରୁ ମୁମ୍ବାଇ, ପୁନେ, ପାଟନା, ବିହାରର ବିଷ୍ଣୁପୁର ଭଳି ବିଭିନ୍ନ ଅଂଚଳରେ ଥିବା ଅଭୟକାନ୍ତଙ୍କ ଠିକଣା ଉପରେ ରେଡ୍‌ ବହୁ ସଂଦେହଜନକ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ଟିମ୍‌ । ତଦନ୍ତ ବେଳେ ପୁନେରେ ଅଭୟଙ୍କ ଏକ ବଡ଼ ଫାର୍ମ ହାଉସ ଏବଂ  ଫ୍ଲାଟ୍‌ ଥିବା ଜଣାପଡ଼ିଥିଲା । ସେହିଭଳି ଭୁବନେଶ୍ବରରେ ୮ହଜାର ସ୍କୋୟାରଫୁଟ୍‌ ଜାଗା ଉପରେ ରହିଛି ଅଭଙ୍କ ଆଲିସାନ୍‌ ବଙ୍ଗଳା । ଏଥି ସହ ପାଠକଙ୍କ ଘରୁ ୮ଶହ ଗ୍ରାମ ସୁନା ସହ ନଗଦ ୧୦ଲକ୍ଷ ଟଙ୍କା ଜବତ ହୋଇଥିଲା । କେବଳ ସେତିକି ନୁହେଁ ପାଠକଙ୍କ ଘରେ ୬୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହାତୀଦାନ୍ତ ପଲଙ୍କ, ଏକାଧିକ ଦାମୀ କାର ଆଦି ଠାବ କରିଥିଲା ଭିଜିଲାନ୍ସ ଟିମ୍‌ ।

{"id":370962,"sizeSlug":"large"}

ଏହାଛଡ଼ା ପାଠକ ପରିବାର ଗଲା ଲକ୍‌ଡାଉନ୍‌ ସମୟରେ ୨୦ଥର ଘରୋଇ ବିମାନ ଭଡ଼ା କରି ବିଭିନ୍ନ ସ୍ଥାନକୁ ଯାତ୍ରା କରି ପ୍ରତି ଥର ୧୫ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପ୍ରମାଣ ମଧ୍ୟ ପାଇଥିଲା ଭିଜିଲାନ୍ସ ଟିମ୍‌ । ତେବେ ଭିଜିଲାନ୍ସର ତଥ୍ୟ ଅନୁସାରେ ଆଇଏଫଏସ୍‌ ଅଭୟ ପାଠକଙ୍କ ବେଆଇନ୍‌ ସମ୍ପତ୍ତିର ତାଲିକା ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଅଭୟକାନ୍ତ ପାଠକ ଏବେ ଜେଲ୍‌ରେ ଥିବା ବେଳେ ତାଙ୍କର ଆୟ ବହିର୍ଭୁତ ଅମାପ ସମ୍ପତ୍ତିର ଗୁମର ଖୋଲିବାକୁ ଖୋଲତାଡ଼ ଜାରି ରଖିଛି ଭିଜିଲାନ୍ସ ଏସଆଇଟି । ତଦନ୍ତ ପରେ ଅଭୟଙ୍କ ଦୁର୍ନୀତିର କଚ୍ଚା ଚିଠା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.