ୟୁକ୍ରେନ୍‌ର ଗୋଟିଏ ରକେଟ୍‌ ମାଡ଼ରେ ଋଷ୍‌ର ୧୨ ସେନା ଅଧିକାରୀ ମୃତ, କାମ ଦେଲାନି ଶକ୍ତିଶାଳୀ ଆଣ୍ଟି-ଏୟାର ସିଷ୍ଟମ

Published By : Prameya-News7 Bureau | July 11, 2022 IST

କିଭ୍‌, ୧୧/୦୭: ପ୍ରତିଶୋଧ ନେଉଛି ୟୁକ୍ରେନ୍‌ । ଗୋଟିଏ ଅସ୍ତ୍ରରେ ସଫା ହୋଇଗଲେ ଋଷ୍‌ର ୧୨ ସୋନା ଅଧିକାରୀ । ଆମେରାକା ଯୋଗାଇଥିବା ରକେଟ୍‌କୁ ମାଡ଼କରି ଋଷ୍‌କୁ କଡ଼ା ଜବାବ ଦେଇଛନ୍ତି ୟୁକ୍ରେନ୍‌ ସେନା । ମିଳିଥିବା ସୂଚନା ଅନୁସାରେ ଚର୍ଣ୍ଣୋବାଇବକା ବିମାନ ବନ୍ଦର ନିକଟରେ ଏହି ରକେଟ୍ ମାଡ଼ ହୋଇଛି ।

ଋଷ୍‌ ଅକ୍ତିଆର କରିଥିବା ଖେରସନ୍‌ ସହରର ଦକ୍ଷିଣରେ ଏହି ବିମାନ ବନ୍ଦର ଅବସ୍ଥିତ । ୟୁକ୍ରେନା ସେନା ଏହାକୁ ଲକ୍ଷ୍ୟ କରି ରକେଟ୍‌ ମାଡ଼ କରିଥିଲା । ଯେଉଁଥିରେ ଋଷ୍‌ର ଜଣେ ଜେନେରାଲ୍‌, ଜଣେ କର୍ଣ୍ଣେଲ୍‌ଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆମେରିକା ପ୍ରସ୍ତୁତ ହିମାରସ୍‌ ରକେଟ୍‌ ବ୍ୟବହାର କରି ଏପରି ପ୍ରତିଶୋଧ ନେଇଛି ୟୁକ୍ରେନ୍‌ ।

ରକେଟ୍‌ ମାଡ଼ ହେବା ପରେ ସେ ଅଞ୍ଚଳ ଜଳିଯାଉଥିବା ଦେଖାଯିବା ସହିତ ପ୍ରବଳ ମାତ୍ରା ରେ ଧୂଆଁ ଉପରକୁ ଉଠୁଥିବା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି । ଋଷିଆର ଏକ ଟେଲେଗ୍ରାମ ଚ୍ୟାନେଲ୍‌ର ରିପୋର୍ଟ ଅନୁସାରେ ଋଷିଆର ଏସ୍‌-୪୦୦ ଆଣ୍ଟି-ଏୟାର ସିଷ୍ଟମ ଏହାର ସ୍ଥଳ ସେନାକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି କହିଛନ୍ତି । ଋଷିଆ ଦଖଲ କରିନେଇଥିବା ୟୁକ୍ରେନ୍‌ ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ଅକ୍ତିଆରକୁ ନେବାକୁ ଜୋରଜାର୍‌ ପ୍ରୟାସ ଚଳାଇଛି ୟୁକ୍ରେନା ସେନା । ବିଶେଷ ଭାବେ ଆମେରିକା ଯୋଗାଇ ଦେଇଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର ସଠିକ୍‌ ଭାବେ ହୋଉଥିବା ଏହି ରକେଟ୍‌ ଲଞ୍ଚରୁ ଜଣାପଡ଼ୁଛି ।  

ସୂଚନା ଥାଉକି ଜାନୁଆରୀ ୨୦୨୧ରେ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଓ୍ବାଶିଂଟନ୍ ୟୁକ୍ରେନକୁ ୩.୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସୁରକ୍ଷା ସହାୟତା ଯୋଗାଇ ଦେଇଛି । ଫେବୃଆରୀ ଶେଷରେ ୟୁକ୍ରେନରେ ଋଷର ବିଶେଷ ସୈନ୍ୟ ଅଭିଯାନ ଆରମ୍ଭ ହେବା ପରଠାରୁ ମୋଟ୍ ପରିମାଣର ପ୍ରାୟ ୨.୬ ବିଲିୟନ ଆମେରିକୀୟ ଡଲାର ଅନୁମୋଦନ କରାଯାଇଥିଲା ।

ଆମେରିକୀୟ ସୈନ୍ୟ ସହାୟତାରେ ଷ୍ଟିଙ୍ଗର୍ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ୍, ଜେଭଲିନ୍ ଆଣ୍ଟି-ଆର୍ମର ସିଷ୍ଟମ, ହାୱିଜର୍ ଏବଂ ଆର୍ଟିଲରି ରାଉଣ୍ଡ, ଏମଆଇ-୧୭ ହେଲିକପ୍ଟର, ଛୋଟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା, ଡ୍ରୋନ୍, ରାଡାର ଡିଭାଇସ୍ ଭଳି ଅସ୍ତ୍ର ସାମିଲ ରହିଛି । ଫେବୃଆରୀ ୨୪ରେ ଋଷ୍ ୟୁକ୍ରେନ୍‌ରେ ଏକ ସ୍ବତନ୍ତ୍ର ସୈନ୍ୟ ଅଭିଯାନ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.