ପୁରୀ ପୋଲିସକୁ ସଫଳତା, ବନ୍ଧା ହେଲେ ୧୨ ଡକାୟତ
20/03/2023 at 1:31 PM

ପୁରୀ ୨୦।୦୩ : ପୁରୀ ପୋଲିସକୁ ବଡ଼ ସଫଳତା । ଧରା ହେଲେ ଡକାୟତ ଗ୍ୟାଙ୍ଗ। ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୧୨ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ମଧ୍ୟ ହୋଇଛି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଖବର ଅନୁଯାୟୀ, ପୁରୀ ହରଚଣ୍ଡୀ ସାହି ସ୍ଥିତ ଚକ୍ରକୋଟ ଲେନ୍ କାଜୁ ଜଙ୍ଗଲରେ ୫ ଜଣ ଯୁବକ ଡକାୟତି ଯୋଜନା ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । । ଗିରଫ ଅଭିଯୁକ୍ତ ମାନେ ହେଲେ କେଶବ ପୃଷ୍ଟି, ଶିବୁ ନାୟକ, ରାକେଶ କୁମାର ରାଉତ, ରଞ୍ଜନ ଷଣ୍ଢ, ରବି ସୁବୁଦ୍ଧି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଲୁହା ରଡ୍ ସହ ମଦବୋତଲ ଓ ଗ୍ଲାସ୍ ଜବତ କରିଛି।
ସେହିପରି ମାତାମଠ ନିକଟ କାଜୁ ଜଙ୍ଗଲରେ ଡକାୟତି ଯୋଜନା ପାଇଁ ଉଦ୍ୟମ କରୁଥିଲେ । ଏହା ସମୟରେ ବାସେଳୀ ସାହି ଥାନା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ଜୀବନ୍ତ ବୋମା, ୩ଟି ଖଣ୍ଡା, ୨ଟି ଲୁହା ରଡ୍, ୩ଟି ଲାଠି ସହ ଦୁଇଟି ଦୁଇଚକିଆ ଯାନ ଜବତ କରିଛି।
ସେପଟେ ଚକ୍ରତୀର୍ଥ ରୋଡ୍ ୟୁଥ୍ ହଷ୍ଟେଲ ନିକଟରେ ଦାଦାବଟି ଉଦ୍ୟମ କରୁଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମୁଦ୍ର କୂଳ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କେ. ଶିବା ଓ ରମେଶ ବେହେରା। ଏମାନଙ୍କ ଠାରୁ ପୋଲିସ ଗୋଟିଏ ଚାପଡ ସହ ୩ଶହ ଟଙ୍କା ଜବତ କରିଛି।
ସିଟି ଡିଏସପି କେ.କେ. ହରପ୍ରସାଦଙ୍କ ଅଧ୍ୟକ୍ଷତାରେ ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଏଥିରେ ଟାଉନ, ସମୁଦ୍ର କୂଳ ଓ ବାସେଳୀ ସାହି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।